ପ୍ରଫେସର ଗୌରକିଶୋର ଦାସଙ୍କ ପରଲୋକ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌରକିଶୋର ଦାସଙ୍କର ବୁଧବାର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ପ୍ରଫେସର ଦାସ ଦିଲ୍ଲୀର ନୋଏଡ଼ାସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଗତ ୩ଦିନ ହେଲା ଚିକିତ୍ସାଧୀନ ଥିଲେ। ତେବେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ତଥା ସୁପ୍ରିମକୋର୍ଟର ଓକିଲ ବୁଲ୍‌ବୁଲ୍‌ ଦାସ ଓ ସାନ ଝିଅ ଗୀତାଞ୍ଜଳି ଦାସ ଉପସ୍ଥିତ ଥିଲେ। ପ୍ରଫେସର ଦାସ ଆଠଗଡ଼ରେ ସ୍କୁଲ ଶିକ୍ଷା ସମାପ୍ତ ପରେ ରେଭେନ୍‌ଶା କଲେଜରେ ଅଧ୍ୟୟନ କରିଥିଲେ। ସେ ରେଭେନ୍‌ଶା କଲେଜରେ ସ୍ନାତକରେ ଟପ୍ପର ହେବାପରେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ କେମ୍ବ୍ରିଜ୍‌ରେ ଇଂଲିଶରେ ଗବେଷଣା ଶେଷ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇଂଲିଶ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆର୍ଟସ୍‌ ଆଣ୍ଡ୍‌ ହ୍ୟୁମାନିଟିଜ୍‌ ବିଭାଗର ଡିନ୍‌ ହୋଇଥିଲେ। ପ୍ରଫେସର ଦାସ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସାଉଥ୍‌ କ୍ୟାମ୍ପସ୍‌ର ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ। ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୯୯୫-୯୮ ପର୍ଯ୍ୟନ୍ତ କୁଳପତି ଭାବେ କାର୍ଯ୍ୟ କରିଥିଲେ। ଇଂଲିଶ ଭାଷା ସାହିତ୍ୟରେ ସେ ଜଣେ ବିଶେଷଜ୍ଞ ଥିଲେ।