ପ୍ରଫୁଲ୍ଲଙ୍କ ନିଆରା ପ୍ରୟାସ : ସୁପରହିରୋଙ୍କୁ ସଂକ୍ରମଣରୁ ବଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର,୨ା୪(ବ୍ୟୁରୋ)-କରୋନାର କରାଳ ରୂପ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ବୁଲୁଥିବା ଗାଇଗୋରୁ, କୁକୁର, ବିଲେଇ ବଞ୍ଚତ୍ବାକୁ ସଂଘର୍ଷ କରୁଛନ୍ତି। ଏଭଳିସ୍ଥଳେ ମାନବିକତା ଦେଖାଇ ସମାଜ ପାଇଁ କିଛି କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସଂଗଠନ। ଅସହାୟଙ୍କୁ ସାହାରା ହେଉଛନ୍ତି ଓ ଜୀବଜନ୍ତୁଙ୍କୁ ଖାଦ୍ୟ ଦେଉଛନ୍ତି। କରୋନା ସଂକ୍ରମଣ ଭୟକୁ ଖାତିର ନକରି ଲୋକଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମ କିଛି ଯୁବ ଗୋଷ୍ଠୀ। ସହର ସାରା ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀଙ୍କୁ ସଂକ୍ରମଣ ହେବାର ବହୁଳ ଆଶଙ୍କା ରହିଥିବାବେଳେ ସେମାନଙ୍କୁ ଏଥିରୁ ରକ୍ଷା କରିବା ଲାଗି ପୁରୁଣା ଭୁବନେଶ୍ୱରର ପ୍ରଫୁଲ୍ଲ ସ୍ବାଇଁ ନାମକ ଜଣେ ଯୁବକ ନିଜସ୍ବ ପ୍ରଚେଷ୍ଟାରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି।
ପ୍ରଫୁଲ୍ଲ ଓ ତାଙ୍କ ସହ କିଛି ଯୁବ ସ୍ବେଚ୍ଛାସେବୀ ମିଶି ପୁରୁଣା ଭୁବନେଶ୍ୱରର ବିଭିନ୍ନ ପୋଲିସ ଷ୍ଟେଶନକୁ ବିଶୋଧନ କରୁଛନ୍ତି। ଏହାସହ ପୋଲିସଙ୍କୁ ମାଗଣା ସାନିଟାଇଜର ଓ ମାସ୍କ ବଣ୍ଟନ କରୁଛନ୍ତି। କେବଳ ପୋଲିସ ଷ୍ଟେଶନ ନୁହେଁ, ପୋଲିସମାନେ ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଏମାନେ ବିଶୋଧନ କରୁଛନ୍ତି। ଏନେଇ ପ୍ରଫୁଲ୍ଲ କହିଛନ୍ତି, ପୋଲିସ୍‌ ଷ୍ଟେସନକୁ ପୋଲିସ ବ୍ୟତୀତ ବାହାର ଲୋକ ମଧ୍ୟ ଆସୁଛନ୍ତି। ସେହିଭଳି ଅନ୍ୟ କାର୍ଯ୍ୟାଳୟ ଭଳି ବର୍ତ୍ତମାନ ସମୟରେ ପୋଲିସ ଷ୍ଟେସନକୁ ବନ୍ଦ କରିବା ମଧ୍ୟ ଅସମ୍ଭବ। ପୋଲିସ କର୍ମଚାରୀମାନେ ଓଭର ଟାଇମ୍‌ କାମ କରୁଥିବା ବେଳେ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି ଓ ବହୁ ଲୋକଙ୍କ ସଂସ୍ପର୍ଷରେ ଆସୁଛନ୍ତି। ତେଣୁ ସେମାନଙ୍କୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଏହାସହ ପ୍ରଫୁଲ୍ଲଙ୍କ ଏହି ଟିମ୍‌ ସ୍ଥାନୀୟ ଲୋକଙ୍କୁ ମଧ୍ୟ କରୋନା ସଂକ୍ରମଣ ବିଷୟରେ ସଚେତନ କରୁଛନ୍ତି। ଗରିବ ଲୋକଙ୍କୁ ସାନିଟାଇଜର ସହ ମାସ୍କ ବାଣ୍ଟୁଛନ୍ତି। କେହି ଯେମିତି ଭୋକିଲା ନ ରହିବେ ସେଥିଲାଗି ଅସହାୟ ଓ ଅଭାବୀ ପରିବାରକୁ ରାଶନ ଓ ଖାଦ୍ୟ ସାମଗ୍ରୀ ଦେଉଛନ୍ତି। ସାହି, ଗଳି ବୁଲି ଲୋକଙ୍କ ଘର ସମ୍ମୁଖକୁ ସାନିଟାଇଜ୍‌ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।