Categories: ଜାତୀୟ

ପ୍ରଧାମମନ୍ତ୍ରୀ ମୋଦିଙ୍କୁ ଆଶ୍ୱାସନା ଦେଇ ଟ୍ରୋଲ ହେଲେ ହାର୍ଦ୍ଦିକ

ଅହମ୍ମଦାବାଦ୍‌, ୧୨।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ନିଖୋଜ ବିମାନ ଏନ-୩୨ ଆଠ ଦିନ ପରେ ଠାବ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲାର ପେୟୁମ ସାର୍କିଲରେ ଏନ-୩୨ ବିମାନକୁ ଠାବ କରିଛି। ତେବେ ଏହି ନିଖୋଜ ବିମାନ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ ହୋଇଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ। ସେ ଟୁଇଟ୍‌ କରି କହିଛନ୍ତି, ଚାଇନା ଆମର ବିମାନ ଏନ-୩୨ ସହ ଯବାନମାନଙ୍କୁ ଫେରାଇ ଦିଅ। ମୋଦି ସାହେବ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ସମସ୍ତେ ଆପଣଙ୍କ ସହ ଅଛୁ। ଚାଇନା ଉପରେ ସର୍ଜିକାଲ ଷ୍ଟାଇକ୍‌ କରି ଆମ ଯବାନଙ୍କୁ ଫେରାଇ ଅଣାଯାଉ ବୋଲି ସେ ଲେଖିଛନ୍ତି। ହାର୍ଦ୍ଦିକଙ୍କ ଏହି ଟୁଇଟ୍‌ ପରେ ସୋସିଆଲ ମିଡିଆ ୟୁଜର୍ସଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଘେରି ଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ହାର୍ଦ୍ଦିକଙ୍କୁ ଲେଖିଛନ୍ତି, ଆପଣ କଂଗ୍ରେସର ଜଣେ ନେତା କିନ୍ତୁ ଆପଣଙ୍କୁ ଜଣାଅଛି କି ଅରୁଣାଚଳ ପ୍ରଦେଶ କେଉଁଠି। କେବେଠାରୁ ଅରୁଣାଚଳ ପ୍ରଦେଶ ଚାଇନାର ହୋଇଗଲା ବୋଲି ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଖବର ପଢି ଟୁଇଟ୍‌ କରିବାକୁ ହାର୍ଦ୍ଦିକଙ୍କୁ ଉପଦେଶ ଦେଇଛନ୍ତି।

Share