ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକବର୍ଷ ପାଇଁ କେନ୍ଦ୍ରୀୟ ରେଳ ବଜେଟରେ ରାଜ୍ୟକୁ ପୂର୍ବାପେକ୍ଷା ଅଧିକ ଅର୍ଥ ମିଳିବାକୁ ଯାଉଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳୁଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ କୁହାଯାଇଛି। ରେଳ ବଜେଟ ବ୍ୟୟବରାଦକୁ ସ୍ବାଗତ କରିବା ସହ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୂର୍ବବର୍ଷ ଭଳି ଓଡ଼ିଶା ପାଇଁ ଚଳିତ ରେଳ ବଜେଟରେ ରେକର୍ଡ ଅର୍ଥ ୫,୯୯୩ କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଧନ୍ୟବାଦ । ଯାତ୍ରୀଙ୍କ ଯାତାୟାତ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ଓଭରବ୍ରିଜ୍‌ ଏବଂ ରେଳପଥ ଅତିକ୍ରମ କରିବା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ୫ଟି ନୂଆ ରେଳପଥର ସର୍ଭେ ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି। ବିଶେଷ କରି ସେ ଅନୁରୋଧ କରିଥିବା ରାଜଆଠଗଡ-କାଇପଦର ରୋଡ ଏବଂ ତାଳଚେର -ଅନୁଗୋଳ କର୍ଡ ଲାଇନ ପାଇଁ ସର୍ଭେ ବ୍ୟବସ୍ଥା କରାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି। ସେହିପରି ଦୀର୍ଘଦିନର ପ୍ରକଳ୍ପ ଯଥା ଅନୁଗୋଳ-ସୁକିନ୍ଦା ରୋଡ, ହରିଦାସପୁର-ପାରାଦୀପ, ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର, ତାଳଚେର-ବିମଳାଗଡ, ଜୟପୁର-ମାଲକାନଗିରି, ନୂଆପଡା-ଗୁଣୁପୁର ଏବଂ ସମ୍ବଲପୁର-ଟିଟିଲାଗଡ ରେଳ ପ୍ରକଳ୍ପ ପାଇଁ ରେକର୍ଡ ପରିମାଣର ବ୍ୟୟବରାଦ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।