ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ବିଡିଓଙ୍କୁ ଭେଟିଲେ ଏମ୍‌ପି

ବେଗୁନିଆ, ୩।୧୧ (ଡି.ଏନ.ଏ.):

ବାସ ଖଣ୍ଡିଏ ପାଇଁ ଏବେବି ବହୁ ଗରିବ ଲୋକ ସରକାରୀ ଯୋଜନାର ଠିକଣା ଖୋଜୁଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ପଞ୍ଜୀକରଣ ହୋଇ ମଧ୍ୟ ବହୁ ଲୋକ ବାଦ୍‌ ପଡିଛନ୍ତି। ପ୍ରଶାସନିକ ସ୍ତରରେ ହେଉ ଅବା ଗ୍ରାମାଞ୍ଚଳର ନେତାଙ୍କ ଅଣଦେଖାରୁ ଗରିବମାନଙ୍କର ଚାଳଛପର ମାଟି କାନ୍ଥ ଘେରା ବାସ ଖଣ୍ଡିକ ମାଟିରେ ମିଶିଲାଣି। ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଗରିବ ଲୋକଙ୍କ କଥା କେହି ବୁଝୁନାହାନ୍ତି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ହୋଇଥିବା ଚରମ ଅଭିଯୋଗ ଉଠିଛି। ଏପରି କି ବ୍ଲକ ଅଞ୍ଚଳର ବହୁ ଅଯୋଗ୍ୟ ହିତାଧିକାରୀ ୨ଟି ଆବାସ, ଚାକିରିଆମାନଙ୍କୁ ଆବାସ ପ୍ରଦାନ ହୋଇଛି। ଏଥିସହ ଘର ନ କରି ଅନ୍ୟ ଲୋକଙ୍କ ଘର ଦେଖାଇ ସମସ୍ତ ଅନୁଦାନ ଅର୍ଥକୁ ହଡପ କରାଯାଇଛି। ଏହାକୁ ନେଇ ଗତ କିଛି ମାସ ହେଲା ଗରିବମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗରିବମାନଙ୍କର ଦୁର୍ଦ୍ଦଶା ଓ ଆବାସରେ ଦୁର୍ନୀତିକୁ ହୃଦୟଙ୍ଗମ କରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଶନିବାର ବେଗୁନିଆ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ଆବାସ ଯୋଜନାର ଦୁର୍ନୀତିକୁ ମୁକ୍ତ କରିବାକୁ ବିଡିଓ ରବିନାରାୟଣ ମାଝିଙ୍କୁ ଏମ୍‌ପି ଷଡଙ୍ଗୀ ତାଗିଦ୍‌ କରିଥିଲେ। ଏଥିସହ ସୌଭାଗ୍ୟ, ଦୀନଦୟାଲ ଯୋଜନା ଏବଂ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ପାଇଖାନା ନିର୍ମାଣରେ ହୋଇଥିବା ଦୁର୍ନୀତିକୁ କିଭଳି ମୁକ୍ତ କରାଯାଇ ପାରିବ ସେ ନେଇ ବିଡିଓଙ୍କୁ ଏମ୍‌ପି ଷଡଙ୍ଗୀ ଶିଖାଇଥିଲେ। ସୂଚନାଥାଉ କି ବ୍ଲକ ଅଞ୍ଚଳର ଦେଉଳୀ, ଗଡ଼ମାଣତୀର, ବୋତଳମା, କୁଞ୍ଜରୀ ପଞ୍ଚାୟତ ଅଞ୍ଚଳରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ତଦନ୍ତ ସାପେକ୍ଷ ବୋଲି ଏମ୍‌ପି ଷଡଙ୍ଗୀ କହିଥିଲେ।