ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା ନେଇ ତଦନ୍ତ

ତିହିଡ଼ି,୨।୧୧ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଜଣେ ଯୁବତୀଙ୍କୁ ବିଧବା ଦର୍ଶାଇ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହି ଅଭିଯୋଗ କ୍ରମେ ଜିଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏପିଡି) ଶନିବାର ତଦନ୍ତ କରିଛନ୍ତି। ଏପିଡି ରାଜେନ୍ଦ୍ର ପଣ୍ଡା, ପ୍ରହ୍ଲାଦ ରଣା ଓ ଦେବେନ୍ଦ୍ର ପାଣ୍ଡବ ନରେନ୍ଦ୍ରପୁର ଗାଁକୁ ଆସି ତଦନ୍ତ କରି ଫେରିଛନ୍ତି।
ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଇଥିଲା। ତେବେ ଉକ୍ତ ଯୁବତୀଙ୍କ ନଁା ପ୍ରଧାନମନ୍ତ୍ରୀ ଆବାସ ଅଗ୍ରାଧିକାର ତାଲିକାରେ ରହିଛି। ତାଙ୍କ ପରିବାର ମଧ୍ୟ ଏହି ଆବାସ ପାଇବା ପାଇଁ ଯୋଗ୍ୟ। ସେ ସାବାଳିକା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ପାଇବାରେ କୌଣସି ଅସୁବିଧା ନାହିଁ ବୋଲି ଏପିଡି ପାଣ୍ଡବ କହିଥିଲେ। କମ୍ପ୍ୟୁଟର ତ୍ରୁଟି ଯୋଗୁ ଯୁବତୀଙ୍କ ନଁା ପାର୍ଶ୍ୱରେ ବିଧବା ବୋଲି ଉଲ୍ଲେଖ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପିଡିଙ୍କ ତଦନ୍ତ ସମୟରେ ସରପଞ୍ଚ ସୁବାସ ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନଳିନୀକାନ୍ତ ଦାସ ଓ ଜିଆରଏସ୍‌ ଉଜ୍ଜ୍ୱଳ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୧୫ ଦିନ ପୂର୍ବେ ଗ୍ରାମର କେତେକ ଲୋକ ଏହି ଅନିୟମିତତା ସମ୍ପର୍କରେ ଜିଲାପାଳ ଏବଂ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଯନ୍ତ୍ରୀ ରଶ୍ମିରଞ୍ଜନ ମହାପାତ୍ର ଏହାର ତଦନ୍ତ କରିଥିଲେ।