ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ରେ ଅଂଶଗ୍ରହଣ କରିବେ ସ୍ବସ୍ତିକ

ରାଇରଙ୍ଗପୁର,୧୮ା୧(ଡି.ଏନ୍‌.ଏ.): ନୂଆଦିଲ୍ଲୀଠାରେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ସମଗ୍ର ଭାରତରୁ ୨୨ ହଜାର ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମନୋନୀତ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲା ଉପାନ୍ତ ରାଇରଙ୍ଗପୁର ଅଞ୍ଚଳସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସ୍ବସ୍ତିକ ଦାସମହାପାତ୍ର ସାମିଲ ହୋଇଛନ୍ତି। ସ୍ବସ୍ତିକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନପତ୍ରକୁ ପିଏମ୍‌ଓ କାର୍ଯ୍ୟାଳୟକୁ ପଠାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରିବା ସହ ସିଧାସଳଖ ଆଲୋଚନା କରିବେ। କାର୍ଯ୍ୟକ୍ରମରେ ରାଜ୍ୟରୁ ମନୋନୀତ ଛାତ୍ରୀଛାତ୍ରଙ୍କର ଗସ୍ତ, ରହିବା ଏବଂ ଖାଇବା ସକାଶେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଇରଙ୍ଗପୁର ସବ୍‌ଡିଭିଜନ ତିରିଂ ବ୍ଲକ୍‌ ବଡ଼ଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଦାସମହାପାତ୍ର ଏବଂ ହିନ୍ଦୀ ଶିକ୍ଷୟିତ୍ରୀ ସସ୍ମିତା ଦାସମହାପାତ୍ରଙ୍କ ପୁତ୍ର ସ୍ବସ୍ତିକ ଜଣେ ମେଧାବୀ ଛାତ୍ର। ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଛି। କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ପର୍କରେ ସ୍ବସ୍ତିକ କହନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିବାରୁ ସେ ନିଜକୁ ଗର୍ବିତ ମନେ କରୁଛନ୍ତି। ମାତାପିତା ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଆଶୀର୍ବାଦରୁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି।