ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଜରିମାନା: ୧ରୁ ଆଉ ଛାଡ଼ ନାହିଁ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଆଉ ଛାଡ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣାଧୀନ (ପିୟୁସି) ସାର୍ଟିଫିକେଟ ନ ଥିଲେ ଗଣିବାକୁ ପଡିବ ଜରିମାନା। ଆସନ୍ତା ଅକ୍ଟୋବର ପହିଲାରୁ ଏହାକୁ କଡାକଡି ଲାଗୁ କରାଯିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି। ଏଥିସହିତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଦେଉଥିବା ମାନୁଆଲ ପିୟୁସି ସାର୍ଟିଫିକେଟକୁ ଅବୈଧ ଘୋଷଣା କରାଯାଇଛି।

କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ ୨୦୧୯ରୁ ‘ବାହନ’ ଅନଲାଇନ ବ୍ୟବସ୍ଥା ଜରିଆରେ ପିୟୁସି ସାର୍ଟିଫିକେଟ ଦେବା ବାଧ୍ୟତାମୂଳକ କରାଯାଇଥିଲା। ତେବେ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏହାକୁ ଅକ୍ଟୋବାର ପହିଲା ଯାଏ ବୃଦ୍ଧି କରାଯାଇଥିଲା। ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ଇଲେକ୍ଟ୍ରୋନିକ ଫର୍ମାଟରେ ସାର୍ଟିଫିକେଟ ଇସ୍ୟୁ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସେହି ସାର୍ଟିଫିକେଟକୁ ଏମ.ପରିବହନ ଆପ୍‌ ମାଧ୍ୟମରେ ରଖି ଗାଡି ଯାଞ୍ଚ ବେଳେ ଚାଳକମାନଙ୍କୁ ଦେଖାଇବାକୁ ପଡିବ। ରାଜ୍ୟରେ ୧୬୩ଟି ପଞ୍ଜୀକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ସେଥିରୁ ୧୦୬ଟିକୁ ବାହନସହ ଲିଙ୍କ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡା ଆହୁରି ୧୪ଟି ନୂତନ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରକୁ ପିୟୁସି ସାର୍ଟିଫିକେଟ ଦେବାକୁ ପଞ୍ଜୀକୃତ କରାଯାଇଛି। ପିୟୁସି ସାର୍ଟିଫିକେଟ ପାଇଁ ଦୁଇ ଚକିଆ ଓ ତିନି ଚକିଆ ଯାନବାହନ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହାଲୁକା ଯାନ ପାଇଁ ୧୦୦ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ସାର୍ଟିଫିକେଟ ବାବଦରେ ୧୫୦ ଟଙ୍କା ସହ ଜିଏସଟି ଦେବାକୁ ଧାର୍ଯ୍ୟ କରାଯାଇଛି। କେଉଁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ପଞ୍ଜୀକୃତ ହୋଇଛି ସେଗୁଡିକର ସମସ୍ତ ବିବରଣୀ www.odishatransport.gov.in ଏବଂ www.orissatransport.nic.inରେ ଉପଲବ୍ଧ। ଜନସାଧାରଣ ଏହାର ସହାୟତା ନେଇ ପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଓଡ଼ିଶାରେ ଲାଗୁ ହେବା ପରେ ଗାଡି କାଗଜ ପତ୍ର ନ ଥିବା ଚାଳକ ଓ ମାଲିକଙ୍କ ମନରେ ଛନକା ପଶି ଯାଇଥିଲା। ବର୍ଦ୍ଧିତ ଜରିମାନା ରାଶିକୁ ନେଇ ଜନଅସନ୍ତୋଷ ଦେଖା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ଯାଏ କୋହଳ କରିଥିଲେ। ଏହି ସମୟରେ କାଗଜ ପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଚାପରେ ରାଜ୍ୟ ପରିବହନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅଣଦେଖା କରି ଆସନ୍ତା ଅକ୍ଟୋବର ପହିଲାରୁ ପିୟୁସିକୁ ବାଧ୍ୟତାମୂଳକ କରିଛି।