ପ୍ରଦୂଷଣ ବଢ଼ାଇଲା ଦୀପାବଳି:ଅଢ଼େଇଗୁଣ ବୃଦ୍ଧି ଆଶଙ୍କା

ଅନୁଗୋଳ ଅଫିସ, ୨୯ା୧୦

ଦେଶର ପ୍ରଦୂଷିତ ଜିଲା ଓ ସହର ତାଲିକାରେ ଅନେକ ସମୟରେ ନିଜ ଉପସ୍ଥିତି ଜାହିର କରୁଥିବା ଅନୁଗୋଳର ପ୍ରଦୂଷଣ ଦୀପାବଳିରେ ବେଶ୍‌ ବଢ଼ିଯାଇଛି। ଏହାକୁ ସହରବାସୀ, ପରିବେଶବିତ୍‌ମାନେ ସିଧାସଳଖ ଅନୁଭବ କରିପାରୁଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏପରି ଆଶଙ୍କା ପ୍ରକାଶ ପାଇଛି। ଯଦିଓ ପ୍ରଦୂଷଣର ମାତ୍ରା କେତେ ରହିଛି ତାହା ଆସନ୍ତା ଦୁଇ ଦିନ ମଧ୍ୟରେ ଜଣାପଡ଼ିବ ବୋଲି କୁହାଯାଇଛି ତଥାପି ସାଧାରଣ ଦିନ ଅପେକ୍ଷା ଦୀପାବଳିରେ ପ୍ରଦୂଷଣ ଦୁଇରୁ ଅଢ଼େଇ ଗୁଣ ବୃଦ୍ଧି ପାଇଥିବା ଆଶଙ୍କା ବ୍ୟକ୍ତ କରାଯାଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଦୀପାବଳୀରେ ଅନୁଗୋଳରେ ପାଖାପାଖି କୋଟିଏ ଟଙ୍କାର ବାଣ ଫୁଟାଯାଇଛି। ଅପରାହ୍ନରୁ ପାଖାପାଖି ରାତି ୧୨ଟା ପର୍ଯ୍ୟନ୍ତ ବାଣଫୁଟା ଯୋଗୁ ଧୂଅଁାର ବହଳିଆ ଆସ୍ତରଣ ପୂରା ସହରକୁ ଘୋଡ଼ାଇ ଦେଇଥିଲା। ସନ୍ଧ୍ୟାରୁ ମୁହଁକୁ ମୁହଁ ଦେଖିବା କଷ୍ଟକର ହୋଇପଡ଼ିଲା। ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇିଥିଲା। କୁହୁଡ଼ି ଅଧିକ ହୋଇଥିଲେ ପରିସ୍ଥିତି ଅଧିକ ଖରାପ ହୋଇଥାନ୍ତା ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଶିଳ୍ପାୟନ ଯୋଗୁ ଅନୁଗୋଳ ଜିଲା ତଥା ସହର ପ୍ରଦୂଷିତ ହେଉଥିବା ବେଳେ ଲୋକମାନେ ଏଥିପ୍ରତି ସଚେତନ ନ ହେଲେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି। ତେବେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କୁହୁଡ଼ିରେ ଧୂଆଁ ବାହାରକୁ ବାହାରି ପାରେ ନାହିଁ। ସାମୟିକ କାର୍ଯ୍ୟ ହୋଇଥିବାରୁ ୨୪ ଘଣ୍ଟା ମଧ୍ୟରେ ଆକାଶରେ ଥିବା ଧୂଆଁ ଆସ୍ତରଣ ଚାଲିଯିବ। ଅନ୍ୟଦିନମାନଙ୍କରେ ବାୟୁରେ ଥିବା ଧୂଳିକଣାରେ ପ୍ରଦୂଷଣ ମାତ୍ରା ୧୦୦ ରହିବା କଥା। କିନ୍ତୁ ଏହା ଦୀପାବଳିରେ କେତେ ପ୍ରତିଶତ ହୋଇଛି ତାହା ଦୁଇ ଦିନ ମଧ୍ୟରେ ଜଣାପଡ଼ିବ। ଏପରି କି ଦୁଇ ଶହରୁ ଅଢ଼େଇଶହ ପ୍ରଦୂଷଣ ମାତ୍ରା ହୋଇଥିବ ବୋଲି ଆଶଙ୍କା କରାଯାଉଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।