ପ୍ରଦୂଷଣ ପ୍ରଭାବରୁ ରକ୍ଷାକରିବ ଗୁଡ଼

ପ୍ରଦୂଷଣ ଯୋଗୁ ଲୋକେ ଆଜ୍‌ମା, ବ୍ରୋଙ୍କାଇଟ୍ସ ଏବଂ ଶିଶୁଙ୍କ ମଧ୍ୟରେ ନିମୋନିଆ ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ଏହି ପ୍ରଦୂଷଣ ସ୍ତର ବୃଦ୍ଧିପାଇବ ବୋଲି ଜଣାପଡ଼ିଛି। ତେବେ ଗୁଡ଼ ସେବନ ଦ୍ୱାରା ଏହି ସମସ୍ୟାରୁ କିଛି ପରିମାଣରେ ରକ୍ଷାପାଇପାରିବେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଗବେଷଣା ଅନୁସାରେ, ଧୂଳି ଏବଂ ଧୂଆଁରେ କାମ କରୁଥିବା ଶ୍ରମିକ ଦୈନନ୍ଦିନ ଗୁଡ଼ ସେବନ କରିଥାନ୍ତି। ଫଳରେ ପ୍ରଦୂଷଣ ଯୋଗୁ ଦେଖାଦେଉଥିବା ରୋଗର ସମ୍ଭାବନା ସେମାନଙ୍କଠାରେ କମ୍‌ ଥାଏ। ପ୍ରକୃତରେ ଗୁଡ଼ ପ୍ରାକୃତିକ ରୂପରେ ଶରୀରରେ ଟକ୍ସିନକୁ ନିଷ୍କାସିତ କରିବାରେ ସାହାଯ୍ୟ କରିଥାଏ। କାହିଁ କେଉଁ କାଳରୁ ଗୁଡ଼ ଭାରତୀୟଙ୍କ ଖାଦ୍ୟ ତାଲିକାର ଏକ ଅଂଶ ପାଲଟିଆସିଛି। ଆଜି ବି ଅନେକ ଲୋକ ଖାଇବାରେ ଗୁଡ଼କୁ ପ୍ରାଧାନ୍ୟ ଦେଉଛନ୍ତି। କାରଣ ଏହା ପାଚନକ୍ରିୟାକୁ ସୁସ୍ଥ ରଖିଥାଏ। ଶରୀରର ମେଟାବଲିଜିମ୍‌ ସ୍ତରକୁ ମଧ୍ୟ ସୁଦୃଢ଼ ରଖିଥାଏ। ଏଥିରେ ଆଣ୍ଟି ଆଲର୍ଜିକ୍‌ ଗୁଣ ଥିବାରୁ ଆଜ୍‌ମା ରୋଗୀଙ୍କ ପାଇଁ ବେଶ୍‌ ଭଲ ମହୌଷଧି ଭାବେ ବିବେଚିତ ହୋଇଥାଏ। ପ୍ରଦୂଷଣ ଯୋଗୁ ସବୁଠୁ ଅଧିକ କଷ୍ଟ ନିଃଶ୍ୱାସ ନେବାରେ ହୋଇଥାଏ। ବିଷାକ୍ତ ପବନ କାରଣରୁ ପିଲାଠୁ ବୁଢ଼ା ସଭିଙ୍କ ରୋଗପ୍ରତିରୋଧକ କ୍ଷମତା ଦୁର୍ବଳ ହେବାରେ ଲାଗିଛି। ଗବେଷଣାରେ ଗୁଡ଼କୁ ଏସମସ୍ତ ସମସ୍ୟାରୁ ରକ୍ଷା ପାଇବାର ସଫଳ ନିଦାନ ବୋଲି କୁହାଯାଇଛି।