ପ୍ରଦୂଷଣ ଦୂର କରିବ ଜୈବ ପରଦା

ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି ପରଦାର ନାମ ରଖାଯାଇଛି ଫଟୋସିନ୍ଥେଟିକା। ୨୦ଟି ଗଛ ଯେତିକି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରେ ଗୋଟିଏ ଫଟୋସିନ୍ଥେଟିକା ତାହା କରିପାରିବ। ଡିଜିଟାଲ ଡିଜାଇନର ବାୟୋପ୍ଲାଷ୍ଟିକରେ ଏହି ପରଦା କରାଯାଇଛି। ଏହା ଫଟୋବାୟୋରିଅକ୍ଟର ଭାବେ କାମ କରେ। ଦିନରେ ସୌର ରଶ୍ମି ଗ୍ରହଣ କରି ପରଦାରେ ଥିବା ମାଇକ୍ରୋ ଶୈବାଳକୁ ଖାଦ୍ୟ ଯୋଗାଏ। ପରଦାରେ ଥିବା ଶୈବାଳ ପ୍ରଦୂଷିତ ବାୟୁରୁ କାର୍ବନଡାଇଅକ୍ସାଇଡ ଅବଶୋଷଣ କରି ଅମ୍ଳଜାନ ଛାଡିଥାଏ। ଦୁଇ ମିଟର ଚଉଡା ଓ ୭ ମିଟର ଲମ୍ବର ଏହି ପରଦାରେ ବାୟୋପ୍ଲାଷ୍ଟିକର ଦୁଇଟି ସ୍ତର ଯୋଡି ହୋଇ ରହିଛି। ଏହା ମଧ୍ୟରେ ଶୈବାଳ ରହି ବାୟୁରୁ କାର୍ବନଡାଇଅକ୍ସାଇଡ ଅବଶୋଷଣ କରିଥାଏ । ଶୈବାଳ କାର୍ବନଡାଇଅକ୍ସାଇଡକୁ ନିଜ ଭିତରେ ଗଚ୍ଛିତ କରି ବାୟୋମସ୍‌ରେ ପରିଣତ କରେ ଯାହା ବାୟୋପ୍ଲାଷ୍ଟିକ ତିଆରି କରିବା ପାଇଁ କଞ୍ଚାମାଲ ଭାବେ ବ୍ୟବହାର ହୋଇଥାଏ। ଏହି ପରଦାର ମାଇକ୍ରୋ ଶୈବାଳରେ ଥିବା ବ୍ୟାକ୍ଟେରିଆ ବାୟୁରୁ ବିଷାକ୍ତ ତତ୍ତ୍ୱ ଗ୍ରହଣ କରି ବାୟୁକୁ ବିଶୁଦ୍ଧ କରେ। ଏହି ପରଦା କାର୍ବନଡାଇଅକ୍ସାଇଡରୁ କାର୍ବନ ଓ ଅକ୍ସିଜେନକୁ ଅଲଗା କରିଦିଏ। ପରଦାକୁ ବିଲ୍‌ଡିଂର ସାଇଡ୍‌ରେ ଝୁଲାଇ ରଖାଯାଇପାରିବ । ଘର ପାଖ ପ୍ରଦୂଷିତ ବାୟୁକୁ ସହଜରେ ଏହି ଜୈବ ପରଦା ବିଶୁଦ୍ଧ କରିପାରିବ। ଏହି ପରଦାର ଦାମ୍‌ ପ୍ରତି ବର୍ଗମିଟରକୁ ୨୩, ୦୦୦ରୁ ଦେଢ ଲକ୍ଷ ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share