Categories: ଜାତୀୟ

ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ଡିସିପି ଗାଇଲେ ଜାତୀୟସଙ୍ଗୀତ

ବେଙ୍ଗାଲୁରୁ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଛି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଛି। ପୋଲିସର ଲାଠି ଓ ଗୁଳିମାଡ଼ରେ ୩ ଜଣଙ୍କ ଜୀବନ ଯାଇଛି। ଏହାସହ ଶତାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ନିଆରା ଢଙ୍ଗରେ ସିଏଏକୁ ବିରୋଧ କରି ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ଡିସିପି ଜାତୀୟ ସଙ୍ଗୀତ ଗାଇବା ସହ ଯଦି ଆପଣ ମୋ ଉପରେ ବିଶ୍ୱାସ କରୁଛନ୍ତି ତେବେ ଏକା ସ୍ବରରେ ମୋ ସହ ଜାତୀୟ ସଙ୍ଗୀତ ଗାଆନ୍ତୁ ବୋଲି ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲେ। ଏହାପରେ ଉପସ୍ଥିତ ଆନ୍ଦୋଳନକାରୀ ଡିସିପିଙ୍କ ସହ ଜାତୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏପରିକି ସେମାନେ ସମସ୍ତେ ଏକ ସ୍ବରରେ ଜୟ ହିନ୍ଦ୍‌ ନାରା ମଧ୍ୟ ଦେଇଥିଲେ। ଜାତୀୟ ସଙ୍ଗୀତ ଗାଇବା ପରେ ସେମାନେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ।

Share