Categories: ଯାଜପୁର

ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ପୁନଃପ୍ରଚଳନ ଦାବି ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଓ ଶିକ୍ଷାକ୍ଷେତ୍ରରେ ଥିବା ବହୁବିଧ ସମସ୍ୟା ଦୂର କରିବା ଦାବିରେ ସୋମବାର ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଜିଲା କମିଟି ପକ୍ଷରୁ ଯାଜପୁର ଟାଉନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରକାଶଥାଉକି, ୨୦୦୯ରୁ ସରକାର ପାସ୍‌ ଫେଲ ବ୍ୟବସ୍ଥା ଉଚ୍ଛେଦ ଆଇନ ଆଣିବା ପରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍‌ଓ ପକ୍ଷରୁ ଆଞ୍ଚଳିକ ଓ ବ୍ଲକ୍‌ସ୍ତରଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଥିଲା। ଦୀର୍ଘ ୧୦ବର୍ଷ ଧରି ଏହି ଆନ୍ଦୋଳନରେ ରାଜ୍ୟର ବହୁ ବୁଦ୍ଧିଜୀବୀ ସାମିଲ ହୋଇ ପାସ୍‌ ଫେଲ ବ୍ୟବସ୍ଥା ଉଚ୍ଛେଦ ଯୋଗୁ ଶିକ୍ଷାର ମାନ ହ୍ରାସ ପାଉଛି। ଏହି ଯୁକ୍ତିର ସଠିକତାକୁ ଉପଲବ୍ଧି କରି ଶକ୍ତିଶାଳୀ ଆନ୍ଦୋଳନ ଗଢ଼ିତୋଳିଥିଲେ। ଶେଷରେ ଆନ୍ଦୋଳନ ଚାପରେ ବାଧ୍ୟ ହୋଇ ସରକାର ଚଳିତ ବର୍ଷଠାରୁ ଦ୍ୱିତୀୟ ଶ୍ରେଣୀରୁ ପାସ୍‌ ଫେଲ ବ୍ୟବସ୍ଥା ଲାଗୁ କରିଛନ୍ତି। ହେଲେ ପ୍ରଥମ ଶ୍ରେଣୀରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଦଳପକ୍ଷରୁ ସାରା ରାଜ୍ୟବ୍ୟାପୀ ‘ଦାବି ଦିବସ’ ପାଳିତ ହେଉଛି। ଏହି ଅବସରରେ ଦଳର ଜିଲା କମିଟି ସମ୍ପାଦକ ତଥା ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଜିଲା କମିଟି ସଭ୍ୟ ସ୍ବୟଂପ୍ରଭା ନାୟକ, ଅଚ୍ୟୁତ ପ୍ରଧାନ, ସୁରେଶ ପ୍ରଧାନ, ଡିଏସ୍‌ଓର ସଙ୍ଗଠକ ନିରୁପମା ବେହେରା, ଦମୟନ୍ତୀ ମୁଦୁଲି, ସଂଯୁକ୍ତା ସାହୁ, ମନୋଜ ସେଠୀ, ସସ୍ମିତା ଯେନା ପ୍ରମୁଖଙ୍କ ସହ ଶତାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ସ୍ଥାନୀୟ କୁସୁମା ଛକରୁ ବାହାରି ସହର ପରିକ୍ରମା କରିଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।