ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଲା: ସ୍ବାସ୍ଥ୍ୟକର୍ମୀ ସାର୍ଟିଫିକେଟ୍‌ ଦେଇ ଘରକୁ ପଠାଗଲା

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ବୁଧବାର ଶେଷ ହୋଇଛି। ଏମାନଙ୍କୁ ପ୍ରଶାସନ ପକ୍ଷରୁ ଡିସ୍‌ଚାର୍ଜ କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଶେରଗଡ଼ ବ୍ଲକର ୧୧୮ ଜଣ, ଧରାକୋଟ ବ୍ଲକର ୧୧୨ ଜଣ ଓ ରଙ୍ଗେଇଲୁଣ୍ଡା ବ୍ଲକର ୬ଜଣ ରହିଛନ୍ତି। ଏମାନଙ୍କ ୨୧ ଦିନିଆ କ୍ୱାରାଣ୍ଟାଇନ୍‌ ଅବଧି ସରିଥିଲା। ଏମାନେ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ। ଘରକୁ ଫେରିବା ବେଳେ ଏମାନଙ୍କୁ କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଏମାନଙ୍କୁ କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ଆବଶ୍ୟକ ହେଲେ ଏମାନେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକଙ୍କ ସ୍ବାସ୍ଥ୍ୟସେବା କରିପାରିବେ ବୋଲି କୁହାଯାଇଛି।