ପ୍ରଥମ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଦେଶର କରୋନା ସଂକ୍ରମିତ: ମୁମ୍ବାଇ, ଇନ୍ଦୋରରେ ଆରମ୍ଭ ହେବ ଏହି ଥେରାପି

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଏବେ ପ୍ଲାଜମା ଥେରାପି ଦେଖାଇଛି ନୂତନ ଆଶାର ଆଲୋକ। ପ୍ରଥମେ ଦିଲ୍ଲୀରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା ବେଳେ ଏହା ଯେଉଁ ୪୯ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ପ୍ରଥମେ ପ୍ରୟୋଗ କରାଯାଇଥିଲା ସେ ଏବେ ସୁସ୍ଥ ହୋଇଥିବା ଜଣାପଡିଛି। ଏହାସହ ତାଙ୍କୁ ଏବେ ହସ୍ପିଟାଲରୁ ଘରକୁ ଯିବାକୁ ମନୁମତି ମଧ୍ୟ ପ୍ରଦାନ କରାଯାଇଛି। ପ୍ଲାଜମା ଥେରାପି ଦ୍ୱାରା ଠିକ୍‌ ହୋଇଥିବା ଦେଶର ଏହି ପ୍ରଥମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଥିବା କୁହାଯାଉଛି। ଏହାକୁ ଦେଖିବା ପରେ ଏବେ ମୁମ୍ବାଇ ଓ ଇନ୍ଦୋରରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯିବ ବୋଲି ଜଣାପଡିଛି। ବୃହାନମୁମ୍ବାଇ ନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ପ୍ଲାଜମା ନେଇ ଏବେ ଅନ୍ୟରୋଗୀଙ୍କର ଚିକିତ୍ସା କରାଯିବ। ଏଥିପାଇଁ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ଇନ୍ଦୋରର ଏକ ଘରୋଇ ହସ୍ପିଟାଲରେ ମଧ୍ୟ ଏହି ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରାଯାଇଥିବା ଜଣାପଡିଛି। ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସର ଜଣେ ଡାକ୍ତରଙ୍କ ସୂଚନା ଅନୁଯାୟୀ, ସେଠାରେ ସୁସ୍ଥ ହୋଇଥିବା ୨ଜଣ ଡାକ୍ତର କରୋନାରେ ପୀଡିତ ଥିବା ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି। ଇନ୍ଦୋର କରୋନାର ହଟସ୍ପଟ ହୋଇଥିବା ବେଳେ ଏବେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଯିବାକୁ ଚେଷ୍ଟା ଚାଲିଛି।

Share