ପ୍ରଥମ ଦିନରେ ୬୩୩ଜଣଙ୍କୁ ଧରାଗଲା ଚାଲାଣ: ଏଣିକି ଅନ୍‌ଲାଇନରେ ଲର୍ନିଂ ଲାଇସେନ୍ସ, ଫିଟ୍‌ନେସ

ଭୁବନେଶ୍ୱର,୩।୧୨:(ବ୍ୟୁରୋ): ଆଗକୁ ଆଉ ଲର୍ନିଂ ଲାଇସେନ୍ସ କାଗଜରେ ଦିଆଯିବ ନାହିଁ। ଏଥର ଏହା ଅନ୍‌ଲାଇନ ମାଧ୍ୟମରେ ମିଳିବ। ଆର୍‌ଟିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି ଫିଟ୍‌ନେସ ସାର୍ଟିଫିକେଟ ମଧ୍ୟ ଆଉ କାଗଜ ମାଧ୍ୟମରେ ଦିଆ ନ ଯାଇ ଅନ୍‌ଲାଇନ ମାଧ୍ୟମରେ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଯେଉଁମାନେ କାଗଜ ଲାଇସେନ୍ସ ପାଇଁ ଇଚ୍ଛା ପ୍ରକାଶ କରିବେ ସେମାନେ ଲିଖିତ ସମ୍ମତି ପ୍ରଦାନ କରି ଫି’ ପ୍ରଦାନ କଲେ ଦସ୍ତାବିଜ ପାଇପାରିବେ। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡି କାଗଜପତ୍ର ଠିକ୍‌ କରିବା ଲାଗି ଲୋକଙ୍କୁ ୩ ମାସ ସମୟ ପ୍ରଦାନ କରିଥିଲେ। ଏହି ସମୟ ପୂରଣ ହେବାପରେ ଡିସେମ୍ବର ୧ରୁ କଡାକଡି ଟ୍ରାଫିକ ନିୟମ ପାଳନ କରାଯାଇଛି। ଟ୍ରାଫିକ ପକ୍ଷରୁ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଯାଇଛି, ନିୟମ ମାନୁ ନ ଥିବା ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣାଉଛନ୍ତି। ଏହି ପ୍ରକ୍ରିୟା ଭିତରେ ପ୍ରଥମ ଦିନରେ ରାଜ୍ୟରେ ୬୩୩ଜଣ ନିୟମ ଉଲ୍ଲଂଘନ କରି ଜରିମାନା ପ୍ରଦାନ କରିଛନ୍ତି। ମଦ ସେବନ କରି ଡ୍ରାଇଭିଂ କରୁଥିବା ୧୫ଜଣ ପ୍ରଥମ ଦିନରେ ଗିରଫ ହୋଇଛନ୍ତି। ସେହିପରି ବିନା ହେଲ୍‌ମେଟ୍‌ରେ ଗାଡି ଚଳାଉଥିବା ୪୦୦ଜଣ ଜରିମାନା ପୈଠ କରିଛନ୍ତି। ସେହିପରି ମୋବାଇଲ ଫୋନ୍‌ ବ୍ୟବହାର କରି ଗାଡି ଚଳାଉଥିବା ୩୧ଜଣଙ୍କଠାରୁ ଚାଲାଣ କଟାଯାଇଛି। ସ୍ପିଡ୍‌ ଡ୍ରାଇଭିଂ କରୁଥିବା ୧୮୭ଜଣଙ୍କୁ ଚାଲାଣ ଦିଆଯାଇଛି ବୋଲି ଏନ୍‌ଆଇସି(ନ୍ୟାଶନାଲ୍‌ ଇନଫରମେଟିକ ସେଣ୍ଟର) ତଥ୍ୟ ଅନୁଯାୟୀ ଜଣେ ପରିବହନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସରେ ରାଜ୍ୟରେ ୮୩୮୫ ମଦୁଆ ଚାଳକ ଗିରଫ ହୋଇଥିବା ଏକ ସରକାରୀ ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ଜିଲାରୁ ହ୍ବାଟ୍‌ସପ ଗ୍ରୁପ୍‌ ମାଧ୍ୟମରେ କମିଶନରେଟ ପୋଲିସ ପାଇଥିବା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ଦର୍ଶାଯାଇଛି। ମାତ୍ର ପରିବହନ ବିଭାଗର ଜଣେ ଅଧିକାରୀ ଏହା ଭୁଲ୍‌ ତଥ୍ୟ ବୋଲି କହିଛନ୍ତି।