ପ୍ରଥମ ଦିନରେ ୨୭ଜଣଙ୍କୁ ଧରିଲା ଡ୍ରୋନ୍‌

ଭୁବନେଶ୍ୱର, ୨୮-୮(ବ୍ୟୁରୋ):ରାଜଧାନୀର ରବୀନ୍ଦ୍ର ମଣ୍ଡପ-ବିମାନବନ୍ଦର ରାସ୍ତାକୁ କମିଶନରେଟ ପୋଲିସ ‘ନୋ ଓଭରଟେକିଂ ଜୋନ୍‌’ ଭାବେ ଘୋଷଣା କରିବା ସହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ପ୍ରଥମଥର ପାଇଁ ଡ୍ରୋନ୍‌ର ସହାୟତା ନିଆଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଏହି ରାସ୍ତାରେ ୨୭ଜଣ ଗାଡ଼ି ଚାଳକଙ୍କୁ ଧରିଛି ଡ୍ରୋନ୍‌। ସେମାନଙ୍କଠାରୁ ୧୩ ହଜାର ୫ଶହ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି। ଆଗାମୀ ଦିନରେ ଡ୍ରୋନ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାରେ ବେଶ୍‌ ସହାୟକ ହେବ ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ପୂର୍ବରୁ ରାଜଧାନୀର ଏକାଧିକ ଛକରେ ୧୩୪ ସିସି କ୍ୟାମେରା ଲାଗିଥିଲା। ଏଥିପାଇଁ ୧୨ କୋଟି ୪୮ଲକ୍ଷ ୨୩ ହଜାର ୪୨୦ ଟଙ୍କା ବ୍ୟୟ ହୋଇଥିଲା। ହେଲେ ବାତ୍ୟା ଫନୀରେ ସେଥିରୁ ୨୨ଟି ଅଚଳ ହୋଇପଡିଛି। ୪ମାସ ପରେ ମଧ୍ୟ ଏହା ଠିକ୍‌ ହୋଇ ନ ଥିବାବେଳେ ଟଙ୍କା ଆସିବା ପରେ ମରାମତି ହେବ ବୋଲି ଅତିରିକ୍ତ ସିପି ସଞ୍ଜୟ ସିଂ କହିଛନ୍ତି। ଅନ୍ୟପକ୍ଷରେ ସିସିଟିଭି ଅଚଳ ହୋଇପଡିଥିବାରୁ ଆକାଶମାର୍ଗରୁ କଡ଼ା ନଜର ରଖୁଛି ଡ୍ରୋନ୍‌।