ପ୍ରଥମ ଥର ପାଇଁ ବାୟୋପିକ୍‌ରେ ଅରିନ୍ଦମ, ଟାଇଟଲ ରହିଛି ‘ବାବୁ ଭାଇଜାନ୍‌’

ନାୟକ ଅରିନ୍ଦମ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ଫିଲ୍ମର ଟାଇଟଲ, ଭୂମିକା, ଦୃଶ୍ୟାୟନ-ଏସବୁ ତାଙ୍କ ମନକୁ ଏମିତି ପ୍ରଭାବିତ କରିଛି ତାହାକୁ ପ୍ରକାଶ କରିବାକୁ ସେ ଭାଷା ଖୋଜୁଛନ୍ତି। କେବଳ ସେତିକି ନୁହେଁ, ନିଜ ଓଲିଉଡ୍‌ କ୍ୟାରିୟରରେ ସେ ପ୍ରଥମ ଥର ପାଇଁ ଏକ ବାୟୋପିକ୍‌ରେ ଅଭିନୟ କରୁଛନ୍ତି। ସିନେମାଟିର ଟାଇଟଲ ରହିଛି ‘ବାବୁ ଭାଇଜାନ୍‌’, ଯାହାର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ଅରିନ୍ଦମ। ଏକ ସତ୍ୟ କଥା ତଥା ଜଣେ ବିଜନେସମ୍ୟାନଙ୍କ ଉତ୍‌ଥାନ ପତନ ଜୀବନୀ ଉପରେ ଫିଲ୍ମଟି ଆଧାରିତ। କାହାଣୀ ଅନୁସାରେ ଆମ ରାଜ୍ୟର ବାଲେଶ୍ୱର ଜିଲାର ଜଣେ ପିଲା ବାବୁ। ସେ କିପରି ନିଜର ଉଦ୍ୟମ ବଳରେ ଆଜି ନିଜକୁ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଗାର୍ମେଣ୍ଟ ବିଜ୍‌ନେସମ୍ୟାନ୍‌ ଭାବରେ ପରିଚିତ କରାଇପାରିଛନ୍ତି ତାହା ସିନେମାରେ ଦେଖିବାକୁ ମିଳିବ। ଏହା ଭିତରେ ଲୁଚି ରହିଛି ସେହି ପିଲାର ଅନେକ ରୋମାଞ୍ଚକର କଥା। ଯେଉଁ ହାତରେ ସେ ଅ ଆ ଲେଖିବା କଥା ସେହି ହାତରେ ସେ କପଡା କଇଁଚି ଧରି କାମରେ ଲାଗିପଡିଥିଲା। ଗରିବ ଘରେ ଜନ୍ମ, ହେଲେ ମନରେ ଆଶା ଅସୁମାରୀ। ତାହାକୁ ପୁଞ୍ଜି କରି ସେ ଚାଲିଯାଇଥିଲା ଦିଲ୍ଲୀ। ଆଉ ତା’ପରେ ସେ କିପରି ନିଜକୁ ଜଣେ ବିଜ୍‌ନେସ୍‌ମ୍ୟାନ ଭାବରେ ପରିଚିତ କରାଇପାରିଛି ତାହା ସିନେମାଟି ଦେଖିଲେ ହିଁ ଜାଣିପାରିବେ। ଖ୍ବାଜା ଗରିବ୍‌ ନଓ୍ବାଜ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା ସହ ପ୍ରଯୋଜନା ଭାର ତୁଲାଇଛନ୍ତି ଆଗଧାଡିର ନାଟ୍ୟକାର ସନ୍ତୋଷ ନାରାୟଣ ଦାସ। ତାପସ ସରଘରିଆ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏବଂ ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ ଏବଂ ଦେବୀଦତ୍ତ ମହାନ୍ତିଙ୍କ ରଚିତ ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ମଳୟ ମିଶ୍ର। ଏଥିରେ ଅରିନ୍ଦମଙ୍କ ଅପୋଜିଟ୍‌ରେ ଅଛନ୍ତି ଚୁଲବୁଲି ଶିବାନୀ। ଏହି ଯୋଡି ବ୍ୟତୀତ ମିହିର ଦାସ, ଶ୍ରୀତମ ଦାସ, ବବି ମିଶ୍ର, ମନୋଜ ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ପୁଷ୍ପା ପଣ୍ଡା, ସୋମା ହୋତା, ସନ୍ତୋଷ ନାରାୟଣ ଏବଂ ତାପସ ସରଘରିଆ ଅଭିନୟ କରୁଛନ୍ତି। ଫିଲ୍ମର ଶୁଟିଂ ଶେଷ ହେବା ପରେ ପୋଷ୍ଟ ପ୍ରଡକ୍ସନ କାମ ଚାଲୁ ରହିଛି।

Share