Categories: ଖେଳ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୭୬

ସେଞ୍ଚୁରିଆନ,୨୯।୧୨(ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ପ୍ରଥମ ଇନିଂସରେ ୧୦୩ ରନର ଅଗ୍ରଣୀ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୬୧.୪ ଓଭରରେ ୨୭୨ ରନକରି ଅଲଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ସମ୍ମୁଖରେ ୩୭୬ ରନର ଟାର୍ଗଟ ଧାର୍ଯ୍ୟ ହୋଇଛି। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୧ ଓଭରରେ ଗୋଟିଏ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ଇଂଲଣ୍ଡ ୯ ଉଇକେଟ ହାତରେ ରଖି ବିଜୟ ପାଇଁ ଆଉ ୨୫୫ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଜୋ ବନର୍‌ସ ୭୭ ଓ ଜୋ ଡେନଲି ୧୦ ରନକରି ଅପରାଜିତ ରହିଛନ୍ତି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଡମ୍‌ ସିବ୍‌ଲି ୨୯ ରନ କରି କେଶବ ମହରାଜଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଛନ୍ତି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୨/୪ରୁ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଶନିବାର ଅଲଆଉଟ ହୋଇଥିଲା। ଦଳ ତରଫରୁ ରାସି ଭାନ ଡେର ଡୁସେନ ସର୍ବାଧିକ ୫୧, ଭର୍ନନ ଫିଲାଣ୍ଡର ୪୬, ଅନରିଜ ନୋର୍ଜ ୪୦, ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ୩୪ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୫, ବେନ୍‌ ଷ୍ଟୋକ୍ସ ୨, ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ ଓ ସାମ କୁରାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଟସ୍‌ ହାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୮୪ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୮୧ ରନ କରି ଅଲଆଉଟ ହେବା ସହ ୧୦୩ ରନ ପଛରେ ପଡିଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୨୮୪।
ଇଂଲଣ୍ଡ ପ୍ରଥମ ଇନିଂସ- ୧୮୧।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ-୨୭୨।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୪୧ ୧୨୧/୧
(ବନର୍‌ସ- ୭୭ *, ଡେନଲି- ୧୦*, ସିବ୍‌ଲି- ୨୯, ମହରାଜ- ୧/୧୬)।

Share