Categories: ଖେଳ

ପ୍ରଥମ ଟେଷ୍ଟରୁ ପାଟିନସନ ବାସନ୍ଦ

ସିଡନୀ,୧୭।୧୧(ଏଏଫ୍‌ପି): ବ୍ରିସ୍‌ବେନ୍‌ରେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ ବାସନ୍ଦ ହୋଇଛନ୍ତି। ଜଣେ ଖେଳାଳିଙ୍କୁ ଦୁର୍ବ୍ୟବହାର ତଥା ଗାଳି କରିଥିବାରୁ ରବିବାର କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଗୋଟିଏ ଟେଷ୍ଟରୁ ସସେପେଣ୍ଡ କରିଛି। ଶେଫିଲ୍ଡ ସିଲ୍ଡ ଟୁର୍ନାମେଣ୍ଟରେ କୁଇନ୍ସଲାଣ୍ଡ ବିପକ୍ଷରେ ଭିକ୍ଟୋରିଆ ତରଫରୁ ଖେଳିବା ବେଳେ ସେ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣବିଧି ଉଲ୍ଲଂଘନ କରିଥିବା ଜଣାପଡିଥିଲା। ତେବେ ପାଟିନସନ କ’ଣ କହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଫିଲ୍ଡିଂ କରିବାବେଳେ ସେ ବ୍ୟକ୍ତିଗତ ଭାବେ ଜଣେ ଖେଳାଳିଙ୍କୁ ଗାଲି କରିଥିବା କୁହାଯାଇଛି। ଗତ ୧୮ ମାସ ମଧ୍ୟରେ ସେ ତୃତୀୟଥର ପାଇଁ ଏପରି ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଖେଳାଳିମାନଙ୍କ ଆଚରଣବିଧି ନେଇ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି।
ଦଳରୁ ପାଟିନସନ ବାଦ୍‌ ପଡିଥିବାରୁ ଏହି ଟେଷ୍ଟରେ ମିଚେଲ ଷ୍ଟାର୍କ ଖେଳିବା ନିଶ୍ଚିତ ହୋଇଛି। ପୂର୍ବରୁ ଗୋଟିଏ ସ୍ଥାନ ପାଇଁ ପାଟିନସନ ଓ ଷ୍ଟାର୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିଥିଲା। ଦଳରେ ସାମିଲ ହୋଇଥିବା ଅନ୍ୟ ୩ଜଣ ବୋଲର ହେଲେ ଜୋଶ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ନାଥନ ଲିୟନ। ଖେଳିବା ବେଳେ ଭାବପ୍ରବଣ ହୋଇ ଭୂଲ କରିଛି ବୋଲି ପାଟିନସନ ସ୍ବୀକାର କରିଛନ୍ତି। ଭୂଲ କରିବା ପରେ ପ୍ରତିପକ୍ଷ ଖେଳାଳି ଓ ଅମ୍ପାୟରମାନଙ୍କୁ କ୍ଷମା ମାଗିଥିଲି । ବାସନ୍ଦାଦେଶକୁ ଗ୍ରହଣ କରିଛି ବୋଲି ସେ କହିଛନ୍ତି। ପାଟିନସନଙ୍କୁ ବାଦ୍‌ ଦିଆଯାଇଥିଲେ ମଧ୍ୟ ଦଳରେ କୌଣସି ବଦଳ ଖେଳାଳିଙ୍କୁ ସାମିଲ କରାଯିବ ନାହିଁ ବୋଳି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି।

Share