Categories: ଖେଳ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ବୃହତ୍‌ ବିଜୟର ନିକଟତର ଭାରତ ଏ’

ଥିରୁଭାନନ୍ତପୁରମ,୧୨।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’ ବୃହତ୍‌ ବିଜୟର ନିକଟତର ହୋଇଛି। ତୃତୀୟ ଦିନର ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଭାରତର ସ୍ଥିତି ଆହୁରି ଦୃଢ଼ ହୋଇଛି। ଓଭରନାଇଟ୍‌ ବର୍ଷା ଓ ଓଦା ଆଉଟ୍‌ ଫିଲ୍ଡ କାରଣରୁ ଅଧିକାଂଶ ଓଭର ଖେଳ ସମ୍ଭବ ହୋଇପାରି ନାହିଁ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୫୧.୫ ଓଭରରେ ୧୬୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଭାରତ ଅଧିନାୟକ ତଥା ଓପନର ଶୁବମନ ଗିଲଙ୍କ ୯୦ ରନର ଅର୍ଦ୍ଧଶତକୀୟ ପାଳି ଓ ଜଲାଜ ସାକସେନାଙ୍କ ଅପରାଜିତ ୬୧ ରନର ଅର୍ଦ୍ଧଶତକୀୟ ପାଳି ବଳରେ ୮୭.୫ ଓଭରରେ ୩୦୩ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ୧୩୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବୁଧବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୫୫ ଓଭରରେ ୯ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଉଇକେଟ ବାକି ଥାଇ ୪୦ ରନରେ ଅଗ୍ରଣୀ ହୋଇଛି ବ୍ୟାକ୍‌ଫୁଟ୍‌ ଚାଲିଯାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଲୁଥୋ ସପମ୍‌ଲା ୫ ଓ ଲୁଙ୍ଗି ଏନ୍‌ଗିଡି ବିନା ସ୍କୋରରେ ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୨୫/୫ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ହେନରିଚ୍‌ କ୍ଲାସେନ ୩୫ରୁ ଖେଳ ଆରମ୍ଭ କରି ୪୮ ଓ ଓ୍ବିଅନା ମୁଲ୍‌ଡେର ୧୨ରୁ ଖେଳ ଆରମ୍ଭ କରି ୪୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ପୂର୍ବରୁ ଜୁବେର ହମ୍‌ଜା ୪୪ ଓ ଖାୟା ଜୋଣ୍ଡୋ ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ଶାହବାଜ ନଦିମ ୩, ଜଲାଜ ସାକସେନା ୨, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ତୃତୀୟ ଦିନରେ ନଦିମ ୧୭ର ବ୍ୟୟ କରି ୩ ଓ ସାକସେନା ୨୨ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରକା ପ୍ରଥମ ଇନିଂସ: ୫୧.୫ ଓଭରରେ ୧୬୪ ଅଲଆଉଟ୍‌।
ଭାରତ ପ୍ରଥମ ଇନିଂସ: ୮୭.୫ ଓଭରରେ ୩୦୩ ଅଲଆଉଟ୍‌।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ: ୫୫ ଓଭରରେ ୧୭୯/୯
(ହେନରିଚ୍‌ କ୍ଲସେନ- ୪୮, ଓ୍ବିଆନ ମୁଲଡର- ୪୬, ଜୁବେର ହମଜା- ୪୪, ଶାହାବାଜ ନଦିମ- ୩/୧୭, ଜାଲାଜ ସାକସେନା- ୨/୨୨)।

Share