Categories: ବାଣିଜ୍ୟ

ପ୍ରତ୍ୟାହାର ହୋଇପାରେ ଏଟିଏମ୍‌ ଚାର୍ଜ: ଆର୍‌ବିଆଇ ଗଠନ କଲା ସମୀକ୍ଷା କମିଟି

ମୁମ୍ବାଇ,୧୨-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଉପରେ ଲାଗୁଥିବା ଶୁଳ୍କ ପ୍ରତ୍ୟାହାର କରିନେଇଛି। ତେବେ ଅଟୋମେଟେଡ ଟେଲର ମେଶିନ(ଏଟିଏମ୍‌) ବ୍ୟବହାର ଲାଗି ଲାଗୁଥିବା ଚାର୍ଜ ଆଦାୟର ସମୀକ୍ଷା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। କମିଟିର ପ୍ରଥମ ବୈଠକର ୨ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଆର୍‌ବିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୬ରେ ମୁଦ୍ରାନୀତି ଘୋଷଣା କରିବା ଅବସରରେ ଏଟିଏମ୍‌ ଚାର୍ଜର ସମୀକ୍ଷା ଲାଗି ଏକ କମିଟି ଗଠନ କରାଯିବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ ପ୍ରକାଶ କରିଥିଲେ। ଇଣ୍ଡିଆନ ବ୍ୟାଙ୍କସ ଆସୋସିଏଶନର ଚିଫ ଏକଜିକ୍ୟୁଟିଭ ଅଫିସର ଭି.ଜି.କାନ୍ନନ ଏହି କମିଟିର ଅଧ୍ୟକ୍ଷ ରହିବେ। ଏହାଛଡ଼ା ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆର ଦିଲୀପ ଆସ୍‌ବେ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜେନେରାଲ ମ୍ୟାନେଜର ଗିରି କୁମାର ନାୟାର, ଲାଏବିଲିଟି ପ୍ରଡକ୍ସର ଗ୍ରୁପ୍‌ ହେଡ୍‌ ଏସ.ସମ୍ପଦ କୁମାର, ଏଚଡିଏଫ୍‌ସି ବ୍ୟାଙ୍କ ଲିମିଟେଡ, କନ୍‌ଫେଡେରେଶନ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରିର ଡାଇରେକ୍ଟର କେ.ଶ୍ରୀନିବାସ, ଟାଟା କମ୍ୟୁନିକେଶନ୍ସ ପେମେଣ୍ଟ ସଲ୍ୟୁସନ୍ସ ଲିମିଟେଡର ସିଇଓ ସଞ୍ଜୀବ ପଟେଲ ସଦସ୍ୟ ରହିଛନ୍ତି।

Share