ପ୍ରତିଶୋଧ ପାଇଁ ୧୫୯ ସାଇକେଲ ସିଟ୍‌ ଚୋରି

ଜାପାନ: ୧୫୯ ସାଇକେଲର ସିଟ୍‌ ଚୋରି କରିବା ଅଭିଯୋଗରେ ଜାପାନ ଟୋକିଓ ସହରର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାମ ଆକିୟୋ ହାତୋଡ଼ି। ତେବେ କେବଳ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ୧୫୯ଟି ସାଇକେଲ୍‌ର ସିଟ୍‌ ଚୋରି କରିଥିବା ଜଣାପଡ଼ିଛି। ସହରରେ ସାଇକେଲ ସିଟ୍‌ ଚୋରି ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୋଲିସ ଚୋରକୁ ଧରିବା ପାଇଁ ତଦନ୍ତ ଚଳାଇଥିଲା। ଗତ ଅଗଷ୍ଟ ମାସରେ ଆକିୟୋ ଏକ ସାଇକେଲରୁ ସିଟ୍‌ ଚୋରି କରିଥିଲେ। ସେହି ସାଇକେଲର ମାଲିକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଯାଞ୍ଚ କରିଥିଲା, ଯେଉଁଥିରେ ଆକିୟୋ ସିଟ୍‌ ଚୋରି କରିଥିବା ସ୍ପଷ୍ଟ ଜଣାପଡୁଥିଲା। ଏହାପରଠୁ ପୋଲିସ ଆକିୟୋଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲା। ଚଢ଼ାଉ ବେଳେ ପୋଲିସ ତାଙ୍କ ଘରୁ ୧୫୯ଟି ସାଇକେଲ ସିଟ୍‌ ଜବତ କରିଛି। କିନ୍ତୁ ସାଇକେଲ ସିଟ୍‌ ଚୋରି କରିବା ନେଇ ଆକିୟୋ ପୋଲିସକୁ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୧୮ରେ ତାଙ୍କ ସାଇକେଲର ସିଟ୍‌ ଚୋରି ହୋଇଯାଇଥିଲା, ଯେଉଁଥିପାଇଁ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଥିଲା। ତାଙ୍କୁ ଯେଉଁ କଷ୍ଟ ହୋଇଛି, ଅନ୍ୟମାନଙ୍କୁ ସେହି କଷ୍ଟ ଦେବା ଉଦ୍ଦେଶ୍ୟରେ ସେ ଏତେଗୁଡ଼େ ସାଇକେଲ ସିଟ୍‌ ଚୋରି କରିଥିଲେ ବୋଲି ଆକିୟୋ କହିଛନ୍ତି।

Share