ପ୍ରତିଦିନ ବ୍ରଶ୍‌ରେ ସଫା ହେଉଛନ୍ତି ଏହି ପ୍ରଜାତିର କୁମ୍ଭୀର

କୁମ୍ଭୀର ସମସ୍ତେ ଦେଖିଥିବେ ହେଲେ ଧଳା ରଙ୍ଗର କୁମ୍ଭୀରକୁ କେବେ ଦେଖିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବହୁ ବିରଳ। ତାଙ୍କୁ ସବୁଠି ଦେଖିବାକୁ ମିଳେନାହିଁ। ଆମେରିକାର ନର୍ଥ କେରୋଲିନାସ୍ଥିତ ଏକ ଜୁ’ରେ ଧଳା ରଙ୍ଗର କୁମ୍ଭୀର ରହିଛନ୍ତି। ଏହାକୁ ଦେଖିବା ପାଇଁ କାହିଁ କେତେଦୂରୁ ଲୋକେ ଆସିଥାନ୍ତି। ହେଲେ ଆପଣ ଭାବୁଥିବେ ହଠାତ୍‌ କୁମ୍ଭୀର କଥା କାହିଁକି କହୁଛୁ। ଆଜ୍ଞା ଏହି କୁମ୍ଭୀର ଏଭଳି ସେଭଳି ନୁହେଁ ଏଥିରେ କିଛି ନିଆରା କଥା ରହିଛି। କେରୋଲିନାସ୍ଥିତ ଜୁ’ରେ ଥିବା ଏହି କୁମ୍ଭୀରଙ୍କୁ ବିଳାସମୟ ଓ ରାଜକୀୟଠାଣିରେ ଯତ୍ନ ନିଆଯାଇଥାଏ। ପ୍ରତିଦିନ ତାଙ୍କୁ ବ୍ରଶ୍‌ରେ ସଫା କରାଯାଉଥିବା ବେଳେ ସେମାନେ ରହୁଥିବା ପାଣିକୁ ମଧ୍ୟ କିଛି ଦିନ ବ୍ୟବଧାନରେ ପରିବର୍ତ୍ତନ କରାଯାଇଥାଏ। କାରଣ ଏଭଳି ପ୍ରଜାତିର କୁମ୍ଭୀରମାନେ ପ୍ରାକୃତିକ ଅବସ୍ଥାରେ ଜୀବିତ ହୋଇ ବେଶୀ ଦିନ ରହି ନ ଥାନ୍ତି।

ଏଠାରେ ୧୪ବର୍ଷର ଏକ କୁମ୍ଭୀର ରହିଛି ଯାହାର ନାମ ଲୁନା। ସେ ଅଲବିନୋ(ଧଳା ହୋଇଯିବାର ଏକ ରୋଗ) ରୋଗରେ ଆକ୍ରାନ୍ତ ହୋଇଛି। ବିଶ୍ୱରେ ଅଲବିନୋ କୁମ୍ଭୀର ବିରଳ। ସିକାଗୋର ପ୍ରାଣୀବିଜ୍ଞାନ ଅନୁସାରେ, ସାରା ବିଶ୍ୱରେ କେବଳ ୧୦୦ ଅଲବିନୋ କୁମ୍ଭୀର ଅଛନ୍ତି। କୁହାଯାଏ, ଏମାନଙ୍କର ଚମଡା ବହୁ ନରମା ହୋଇଥାଏ, ଯେଉଁଥିପାଇଁ ସେମାନେ ନିଜକୁ ଶିକାରୀଠାରୁ ବଞ୍ଚାଇପାରନ୍ତି ନାହିଁ। ଏତଦ୍‌ ବ୍ୟତୀତ ଅନ୍ୟମାନଙ୍କ ତୁଳନାରେ ଏଭଳି ପ୍ରଜାତିର କୁମ୍ଭୀର ଖରାରେ ମଧ୍ୟ ରହିପାରନ୍ତି ନାହିଁ।

କାରଣ ଖରାରେ ଏମାନଙ୍କର ଚମଡା ଓ ଆଖି ଜଳିଯାଇଥାଏ। ଏଥିପାଇଁ ଅଲବିନୋ ନିଜ ଶିକାରୀଙ୍କୁ ମଧ୍ୟ ଦେଖିପାରନ୍ତିନାହିଁ। ସୂଚନା ମୁତାବକ ଅଲବିନୋ ଏକ ସ୍ବତନ୍ତ୍ର ଜେନେଟିକ୍‌ ରୋଗ। ଯାହା କୌଣସି ବ୍ୟକ୍ତି, ମାଛ, ମାଙ୍ଗଡ, ସ୍ତନପ୍ରାଣୀ ଓ ସରୀସୃପକୁ ମଧ୍ୟ ହୋଇଥାଏ। ଏହି ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ତ୍ୱଚା, ଆଖି ଓ କେଶର ରଙ୍ଗ ଧଳା ହୋଇଯାଉଥିବା ବେଳେ ଏମାନେ ଅତ୍ୟଧିକ ସମ୍ବେଦନଶୀଳ ମଧ୍ୟ ହୋଇଥାନ୍ତି ବୋଲି ଜଣାପଡ଼ିଛି।

Share