Categories: ଜାତୀୟ

ପ୍ରତିଘରୁ ହଟିବ ଚାଇନା ମିଟର

ଲକ୍ଷ୍ନୌ, ୨୩।୬: ଚାଇନା ସହିତ ଲଢ଼େଇରେ ଏବେ କେନ୍ଦ୍ର ସରକାରଙ୍କ ସହିତ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ସାମିଲ ହେବାରେ ଲାଗିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚାଇନା ବିଦ୍ୟୁତ୍‌ ମିଟର ହଟାଇବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟ ଉପଭୋକ୍ତା ପରିଷଦରେ ଅନୁରୋଧ କ୍ରମେ ଏପରି କରାଯାଇଛି। ରାଜ୍ୟର ପ୍ରତିଘରୁ ଚାଇନା ବିଦ୍ୟୁତ୍‌ ମିଟର ହଟାଇବା ଲାଗି ଯୋଜନା ପ୍ରସ୍ତୁତ ହେବ। ଏହା ସହିତ କୌଣସି ଘରେ ନୂଆ ଚାଇନା ମିଟର ଅବା ବିଦ୍ୟୁତ୍‌ ଯନ୍ତ୍ରାଶଂ ନ ଲଗାଇବାକୁ କୁହାଯାଇଛି। ଗୋରଖପୁରରେ ବିଭିନ୍ନ ଘରେ ଲାଗିଥିବା ୧୫ ହଜାରରୁ ଅଧିକ ଚାଇନା ବିଦ୍ୟୁତ୍‌ ମିଟର ଖୁବ୍‌ ଶୀଘ୍ର ହଟାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ ରାଜ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ହରିୟାଣାରେ ଚାଇନା କମ୍ପାନୀକୁ ଦିଆଯାଇଥିବା ୨ଟି ଥର୍ମାଲ ପାଓ୍ବାର ଷ୍ଟେଶନର ଠିକା ରଦ୍ଦ କରାଯାଇଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଚାଇନା କମ୍ପାନୀକୁ ଦିଆ ଯାଇଥିବା ସିଗନାଲ ସିଷ୍ଟମ ଲଗାଇବା ଠିକାକୁ ରଦ୍ଦ କରି ଦିଆଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ଚାଇନା ସହିତ ଚୁକ୍ତି ସ୍ବାକ୍ଷର କରିଥିବା ୫ ହଜାର କୋଟିର ୩ଟି ପ୍ରକଳ୍ପର ଠିକା ରଦ୍ଦ କରିଥିଲେ।

Share