ପ୍ରକାଶ ପାଇଲା ହରିୟାଣା କଂଗ୍ରେସର ଘୋଷଣା ପତ୍ର

ଚଣ୍ଡିଗଡ଼,୧୧।୧୦: ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଘୋଷଣା ପତ୍ର ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ଶୈଲଜା କୁମାରୀ ଏହି ସଙ୍କଳ୍ପ ପତ୍ରକୁ ଜାରି କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ୨୪ଘଣ୍ଟା ଭିତରେ କୃଷକଙ୍କ ଋଣ ଛାଡ଼ କରାଯିବା ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଦୁଇ ଏକର ଜମି ଥିବା କୃଷକଙ୍କୁ ମାଗଣାରେ ବିଜୁଳି ଯୋଗାଇଦେବା ସହ ଫସଲ ବୀମାର ଗୋଟିଏ କିସ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯେପରି ମରୁଡି ଓ ବନ୍ୟାରେ ଫସଲ ଖରାପ ହେଲେ ପ୍ରତି ଏକର ପିଛା ୧୨ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ ମହିଳାଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରାଯାଇଛି। ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ମହିଳାଙ୍କୁ ରୋଷେଇ ଖର୍ଚ୍ଚ ବାବଦରେ ମାସକୁ ୨ହଜାର ଟଙ୍କା ଦିଆଯିବ। ଏଥିସହ ସରକାରୀ ଚାକିରୀ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଓ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ କଂଗ୍ରେସର ଏହି ଘୋଷଣା ପତ୍ର ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

Share