ପ୍ରକଳ୍ପ ଥାଇ ବି ପୋଖରୀ ଭରସା

ଆରଡ଼ି, ୧୩।୧୨ (ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଲୋକଙ୍କୁ ସୁବିଧାରେ ପାନୀୟଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଛି ଜଳ ପ୍ରକଳ୍ପ। ସେଥିଲାଗି ଆଉ ଗାଁରେ ସରକାରୀ ନଳକୂପ ବସାଯାଉନି। ହେଲେ ପ୍ରକଳ୍ପ ଚଳାଇବା ପାଇଁ ନିଯୁକ୍ତ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ଗାଁ ଲୋକେ ପାଇପ୍‌ ପାଣି ପାଇବାରେ ହଇରାଣ ହେଉଛନ୍ତି। ଗାଁରେ ଏକମାତ୍ର ନଳକୂପ ଥିବାବେଳେ ତାହା ବହୁଦିନର ହୋଇଯାଇଥିବାରୁ ଗୋଟିଏ ମାଠିଆ ପୂରିବାକୁ ପ୍ରାୟ ୧୦ ମିନିଟ୍‌ ଲାଗୁଛି। ନଳକୂପ ଅଚଳ ହୋଇଗଲେ ଗାଁ ପୋଖରୀ ହିଁ ସାହା ଭରସା। ଏହା କୌଣସି ଉପାନ୍ତ ଅଞ୍ଚଳର ସମସ୍ୟା ନୁହେଁ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ମହାକୁଡ଼ ସାହିରେ ଏଭଳି ସମସ୍ୟା ଲାଗି ରହିଛି।
ସୂଚନା ଅନୁଯାୟୀ, ଏହି ସାହିର ଲୋକସଂଖ୍ୟା ୫ ଶହରୁ ଊର୍ଦ୍ଧ୍ୱ। ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ନିର୍ମିତ ହୋଇଛି ଜଳ ପ୍ରକଳ୍ପ। ଆବଶ୍ୟକ ଅନୁସାରେ ପାଣି ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନ ଥିବା କୁହାଯାଇଛି। ଲୋକେ ସାହିରେ ଥିବା ଏକମାତ୍ର ନଳକୂପରୁ ପାଣି ନେଇ ପିଉଛନ୍ତି। ନଳକୂପଟି ପୁରୁଣା ହୋଇଥିବାରୁ ସେଥିରୁ ଠିକ୍‌ ଭାବେ ପାଣି ବାହାରୁ ନାହିଁ। ସକାଳ ଓ ସନ୍ଧ୍ୟା ସମୟରେ ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ନଳକୂପ ଖରାପ ହେଲେ ମରାମତି ପାଇଁ ୧୦ ଦିନରୁ ଅଧିକ ସମୟ ଲାଗୁଛି। ଏଣୁ ନଳକୂପ ଖରାପ ସମୟରେ ଲୋକେ ବାଧ୍ୟହୋଇ ଗଁା ପୋଖରୀ ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ପାନୀୟ ଜଳ ଯୋଗାଣ ଦାୟିତ୍ୱ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଥିବାବେଳେ ଏହି ସାହିରେ ଉତ୍କଟ ଜଳ ସମସ୍ୟା ପ୍ରତି ଦୃଷ୍ଟି ପଡୁ ନ ଥିବା କେତେକ ଲୋକ ପ୍ରକାଶ କରିଛନ୍ତି। ସେହିପରି ଜଳ ପ୍ରକଳ୍ପ କର୍ମଚାରୀ ମଧ୍ୟ ନିଜ ମନମାନିରେ ପାଣି ଯୋଗାଇଥାନ୍ତି ବୋଲି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ସାଆଁଳପୁର ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରଠାରୁ ପ୍ରାୟ ୧୫ କି.ମି. ଦୂରରେ ଏହି ଗାଁ ଥିବାରୁ ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି ହେଉଛି। ବେଳେବେଳେ ୨ ଦିନ ଧରି ମଧ୍ୟ ଏହି ଗାଁକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହେ। ଏହାଦ୍ୱାରା ପାଇପ୍‌ ପାଣି ଯୋଗାଣ ହୋଇପାରେ ନାହିଁ। ଫଳରେ ଲୋକେ ପାନୀୟଜଳ ପାଇବାରୁ ବଞ୍ଚିତ ହୁଅନ୍ତି। ମାସକ ମଧ୍ୟରେ ପାନୀୟଜଳ ସମସ୍ୟାର ସମାଧାନ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁର ସରପଞ୍ଚ ଝରଣା ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, ସେହି ଗାଁରେ ଜଳ ପ୍ରକଳ୍ପ ଥିବାରୁ ସେଠାରେ ନଳକୂପ ଆଉ ବସିପାରିବ ନାହିଁ। ଏହାଛଡ଼ା ସେହି ସାହିରେ ଥିବା ନଳକୂପ ଖରାପ ହେଲେ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ଲାଗି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେଥିରେ ତ୍ରୁଟି ଥିଲେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।