ପ୍ରକଳ୍ପ କାମ ନିମ୍ନମାନର

ପରଜଙ୍ଗ, ୨୨।୫(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ଅଧୀନ ଅଁଳାକଟା ଗ୍ରାମରେ ବସୁଧା ଯୋଜନାରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଜିଲାପାଳଙ୍କୁ ଲିଖିତ ଭାବେ ଦାବି ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ବସୁଧା ଯୋଜନାରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି। ଏକ ଠିକାସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ହେଲେ କାମ ସମୟରେ ଠିକାଦାର ଗ୍ରାମ ରାସ୍ତାକୁ ଖୋଳି ଦେଇଛନ୍ତି। ମାପ ଅନୁଯାୟୀ ପାଇପ୍‌ ବିଛାଯାଇନାହିଁ। ନିମ୍ନମାନର କାମ ହୋଇଥିବାରୁ ପ୍ରକଳ୍ପର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଠିକାସଂସ୍ଥା ବିରୋଧରେ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀ ଏବଂ ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଓଲଟି ଅଭିଯୋଗ କରିବା ପରେ ସ୍ଥାନୀୟ ପେଟି କଣ୍ଟ୍ରାକ୍ଟର ସେମାନଙ୍କୁ ଗାଳିଗୁଲଜ କରିଥିଲେ। ତେଣୁ ବାଧ୍ୟହୋଇ ସେମାନେ ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଏ ନେଇ ବିଭାଗୀୟ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ କୁହନ୍ତି, ଠିକାଦାର କଂକ୍ରିଟ୍‌ ରାସ୍ତା ଖୋଳି ଦେଇଥିଲେ। କହିବା ସତ୍ତ୍ୱେ ସେ ଏହାକୁ ମରାମତି କରୁ ନ ଥିବାରୁ ତାଙ୍କର ବିଲ୍‌ ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି।