ପୋଷ୍ଟାଲ ଗାଡ଼ିରେ ଶ୍ରମିକ

ବାରିପଦା ଅଫିସ, ୧ା୪: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ହେବା ଯୋଗୁ ଅନେକ ସ୍ଥାନରେ ଶ୍ରମିକମାନେ ଫସି ରହି ଯାଇଛନ୍ତି। ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିଲେ ମଧ୍ୟ ଶ୍ରମିକମାନେ ଏହାକୁ ନ ମାନି କିପରି ଘରକୁ ଫେରିବେ ସେଥିପାଇଁ ଚେଷ୍ଟା କରୁଛନ୍ତି। ବୁଧବାର ଭୁବନେଶ୍ୱର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ୨୯ ଜଣ ଶ୍ରମିକଙ୍କୁ ନେଇ ଏକ ପୋଷ୍ଟାଲ ଭ୍ୟାନ ଆସୁଥିବା ବେଳେ ବାରିପଦାର ପାଲବଣି ଛକଠାରେ ଟାଉନଥାନା ପୋଲିସ ଗାଡ଼ିଟିକୁ ଜବତ କରିଛି। ଗାଡ଼ିର ଚାଳକ କଟକ ଜିଲା ବଡ଼ମ୍ବା ଥାନା ଅଞ୍ଚଳର ଅରୁଣ ସିଂଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୦୦/୨୦) ରୁଜୁ ହୋଇଥିତ୍ବା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି। ଅଟକ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଲକଡାଉନ ଅବଧି ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରଖି ଖାଦ୍ୟପେୟର ବନ୍ଦୋବସ୍ତ କରାଯିବ ବୋଲି ସୂଚନା ମିଳିଛି।
ସେହିପରି ସକାଳେ ଶତାଧିକ ଶ୍ରମିକ ମୟୂରଭଞ୍ଜ ଜିଲାର ବେତନଟୀ ଅଞ୍ଚଳରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଆଦି ଅଞ୍ଚଳରୁ ଏହି ଶ୍ରମିକମାନେ ବାହାରି ନିଜ ଘର ଝାଡ଼ଖଣ୍ଡ ଓ ବିହାର ରାଜ୍ୟକୁ ପାଦରେ ଚାଲି ଚାଲି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଅଟକ ରଖିଛି। ବେତନଟୀ ପୋଲିସ ମଧ୍ୟ ଚାଲି ଚାଲି ଯାଉଥିବା ପ୍ରାୟ ୬୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ବିଦ୍ୟାଳୟ ଅସ୍ଥାୟୀ ଶିବିରରେ ଅଟକ ରଖିଛି। ।