ପୋଲ ନିର୍ମାଣରେ ବ୍ୟବହାର ହେଉଛି ମୂଲ୍ୟବାନ୍‌ କାଠ

ନୂଆଗାଁ,୧୭।୪(ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ନୂଆଗାଁ ବ୍ଲକର ମୀନାଗାଡିଆଠାରୁ ରଗଡିମଡ଼ା ମୁଖ୍ୟମନ୍ତ୍ରୀ ସଡ଼କର ନିର୍ମାଣ ଚାଲିଛି। ଉକ୍ତ ରାସ୍ତାରେ ନିର୍ମାଣ କରାଯାଇଥିବା ପୋଲରେ ମୂଲ୍ୟବାନ କାଠ ବ୍ୟବହାର ହୋଇଥିବା ଅଭିଯୋଗ ହେଉଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେଥିରେ ରାସ୍ତା ସହ ପୋଲ ନିର୍ମାଣ କରିବାର ନିର୍ଦ୍ଦେଶ ରହିଛି । ତେବେ ଉକ୍ତ ପୋଲ ନିର୍ମାଣରେ ଲୁହା ସାମଗ୍ରୀ ବ୍ୟବହାର କରି ସେଣ୍ଟ୍ରି କରିବା ବଦଳରେ ଠିକାଦାର ସ୍ଥାନୀୟ ଜଙ୍ଗଲରୁ ଅଶନ, ଶାଳ, ମହୁଲ ଆଦି ମୂଲ୍ୟବାନ ଗଛ କାଟି ବହ୍ଲା ଭାବେ ବ୍ୟବହାର କରିଥିବା ଅଭିଯୋଗ ହେଉଛି । ଗତ ବର୍ଷ ବାଲଣ୍ଡାଠାରୁ ବରକୋଳା ରାସ୍ତା ନିର୍ମାଣ ଚାଲିଥିବା ସମୟରେ ପୋଲ ନିର୍ମାଣ ପାଇଁ ଠିକାଦାର ଗଛ କାଟିଥିଲେ। ଏହି ଖବର ପାଇ ୨୦୨୨ ମାର୍ଚ୍ଚ ୧୪ରେ ତତ୍କାଳୀନ ବନାଞ୍ଚଳ ଅଧିକାରୀ ସେଠାରେ ଚଢାଉ କରି କାଠ ଜବତ କରିବା ସହ ରାସ୍ତା କାମ ବୁଝୁଥିବା ସୁପରଭାଇଜରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ । ଆଦିବାସୀ ଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣରେ ଲୋକଙ୍କ ଦ୍ୱାରା ସଂରକ୍ଷିତ ଜଙ୍ଗଲର କାଠ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଥିଲେ। ସୁପରଭାଇଜରଙ୍କ ଗିରଫ ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ହେଲେ ବନ ବିଭାଗ କିଛି ନ ଶୁଣି ମାମଲା ରୁଜୁ କରିବା ସହିତ ସୁପରଭାଇଜରଙ୍କୁ ଗିରଫ କରିଥିଲା। କିନ୍ତୁ ମୀନାଗାଡିଆଠାରୁ ରଗଡିମଡ଼ା ରାସ୍ତାରେ ନିର୍ମାଣ ପାଇଁ ଆବଶ୍ୟକ ଥିବା ଏକାଧିକ ପୋଲରେ ମୂଲ୍ୟବାନ କାଠ ବହ୍ଲା ବ୍ୟବହାର କରାଯାଇଛି। ଅଥଚ ବନ ବିଭାଗ ନୀରବଦ୍ରଷ୍ଠା ସାଜିଛି । ତେଣୁ ସ୍ଥାନ କାଳ ପାତ୍ର ଦେଖି ବନ ବିଭାଗ ଅଧିକାରୀମାନେ ଭିନ୍ନ ଭିନ୍ନ ନିୟମ ପ୍ରୟୋଗ କରୁଥିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପୋଲ ନିର୍ମାଣରେ କାଠ ବ୍ୟବହାର ବାବଦରେ ଆରଡି କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କୁ ପଚାରିବାରେ ପୋଲ ନିର୍ମାଣ କାମରେ ଠିକାଦାର କାଠ ବ୍ୟବହାର କଲେ ଆମେ ମନା କରି ପାରିବୁ ନାହିଁ ବୋଲି କହିଛନ୍ତି। ତେବେ ଏ ବାବଦରେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ପଚାରିବାରେ ଏ ଅଭିଯୋଗ ମୁଁ ପାଇ ନ ଥିଲି। ମୁଁ ଷ୍ଟାଫ୍‌ ପଠାଇ ଦେଖୁଛି ବୋଲି କହିଛନ୍ତି।