ପୋଲ ତଳକୁ ଖସିଲା ଧାନ ବୋଝେଇ ଟ୍ରକ

ଠାକୁରମୁଣ୍ଡା/ଯଶିପୁର,୭ା୨(ଡ଼ି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯଶୀପୁର-ରରୁଆଁ ରାସ୍ତାର ମଉଦି ଗ୍ରାମ ନିକଟରେ ଗୁରବାର ସାରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପୋଲ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରରୁଆଁ ଲ୍ୟାମ୍ପସରୁ ଧାନ ବସ୍ତା ବୋଝେଇ କରି ଏକ ଟ୍ରକ (ନଂ.ଓଆର-୧୧ବି-୫୧୮୬) ରାଇରଙ୍ଗପୁରର ଏକ ରାଇସ ମିଲ୍‌କୁ ଯାଉଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରେ ଥିବା ରାଇରଙ୍ଗପୁର ମହୁଲଡ଼ିହା ଅଞ୍ଚଳର ଡ୍ରାଇଭର ସଞ୍ଜୟ ହେମ୍ବ୍ରମ, ହିମାଂଶୁ ଗିରି, କାଳିଆ ସର୍ଦ୍ଦାର ପ୍ରମୁଖ ୩ ଜଣକୁ ଉଦ୍ଧାର କରି ଯଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଯଶୀପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।