ପୋଲିସ ହାବୁଡରେ ଅମାନିଆ ବାଇକ ଚାଳକ

ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ନେଇ ଜିଲା ପ୍ରଶାସନ ଓ ପୋଲିସ ଗୁରୁବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱିତୀୟ ଦିନରେ ପହଞ୍ଚତ୍ଛି । ଅଇଁଠାପାଲି, ଶାସନ, ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ସଦର ଥାନା ପୋଲିସ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୧୭୦ଟି ବାଇକ୍‌ ଜବତ କରିଛି । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୋହଳ କରାଯାଇଥିଲା । ହେଲେ ମଧ୍ୟାହ୍ନ ୧୨ଟା ପରେ ମଧ୍ୟ ଅମାନିଆ ବାଇକ ଚାଳକ କଟକଣାକୁ ବେଖାତିର କରି ରାସ୍ତାରେ ବୁଲୁଥିଲେ । ଶେଷରେ ସେମାନେ ପୋଲିସ ହାବୁଡରେ ପଡିଯାଇଥିଲେ । ସନ୍ଧ୍ୟା ସମୟରେ ମଧ୍ୟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରାଯାଇଥିଲା । ତେବେ ପ୍ରଶାସନ ପକ୍ଷରୁ ପନିପରିବା, କିରାନା ସାମଗ୍ରୀ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବାର ସୁବିଧା ରହିଛି । ତେଣୁ ଲୋକେ ଘରୁ ନ ବାହାରନ୍ତୁ । କରୋନା ମୁକାବିଲା ପାଇଁ ପୋଲିସ ଓ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି ।