Categories: ଜାତୀୟ

ପୋଲିସ ବିଭାଗରେ ନିଯୁକ୍ତି ହେବେ ୫୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ: ଯୋଗୀ

ଲକ୍ଷ୍ନୌ,୨।୯: ସରକାରୀ ଚାକିରି ଖୋଜୁଥିବା ଯୁବବର୍ଗଙ୍କ ପାଇଁ ଖୁସି ଖବର। ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ବିଭାଗରେ ୫୦ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି। କାଲ୍‌ପିରେ ପୋଲିସ ଟ୍ରେନିଂ ସ୍କୁଲର ଉଦ୍‌ଘାଟନ କରିବା ସମୟରେ ଏନେଇ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି। ଏଥିସହ ଏନେଇ ସେ ଟୁଇଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ଗତ ଅଢ଼େଇ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ସରକାର ୭୫ହଜାରରୁ ଊର୍ଦ୍ଧ୍ୱ ପୋଲିସ କର୍ମୀଙ୍କୁ ନିଯୁକ୍ତି ଦେଇସାରିଛନ୍ତି। ଏବେ ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ପୋଲିସକର୍ମୀଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଯୋଗୀ ସ୍ପଷ୍ଟ କରିଛନ୍ତି ଯେ, ଲାଞ୍ଚ ଦେଇ ଏହି ବିଭାଗରେ କେହି ନିଯୁକ୍ତି ପାଇନାହାନ୍ତି। ଲୋକଙ୍କ ସମସ୍ୟା ଦୂର କରିବା ସହ ପୋଲିସ ପ୍ରତି ଲୋକଙ୍କ ମନରେ ବିଶ୍ୱାସ ଜାଗୃତ କରିବା ପାଇଁ ପ୍ରୟାସ କରାଯାଉଛି। ଏଥିସହ ସାଧାରଣ ଜନତାଙ୍କ ପାଇଁ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Share