ପୋଲିସ ନାଁରେ ଟଙ୍କା ମାଗି ଯୁବକ ଗିରଫ

ପୁରୀ ଅଫିସ,୨୩।୯: ପୋଲିସ ପରିଚୟ ଦେଇ ଟଙ୍କା ଦାବି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସୋମବାର କୁମ୍ଭାରପଡ଼ା ପୋଲିସ ସମ୍ପୃକ୍ତ ଯୁବକ ଆଶିଷ କୁମାର ଦାଶଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ଦଫା ୪୧୯, ୪୨୦, ୩୯୨ ଏବଂ ୩୮୬ରେ କେସ୍‌ ନଂ. ୨୦୯/୧୯ ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଦାଶ ଦେବୀଘାଟର ସୂର୍ଯ୍ୟକାନ୍ତ ପୂଜାପଣ୍ଡାଙ୍କୁ ଦୁଇଟି ଫୋନ୍‌ ନମ୍ବରରୁ କଲ୍‌ କରି ଟଙ୍କା ଦାବି କରୁଥିଲେ। ସୂର୍ଯ୍ୟକାନ୍ତଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କ ମୋବାଇଲ ଫୋନ୍‌ ଟ୍ରାକ୍‌ କରି ତାଙ୍କୁ ଧରିଥିଲା।