ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା ଡା. ରାଜେନ୍ଦ୍ର ପ୍ରଶାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ରାଜ୍ୟର ପୋଲିସ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ପୋଲିସ ଡିଜି ଥିବା ଡା. ଆର୍‌. ପି ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବାପରେ ଏହି ପଦକୁ ନେଇ ଏକାଧିକ ନାମ ଚର୍ଚ୍ଚାକୁ ଆସିଥିଲା।

ଶେଷରେ ୧୯୮୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ତଥା ରାଜ୍ୟ ଅଗ୍ନିଶମ ଡିଜି ଶର୍ମାଙ୍କୁ ଏହି ନୂଆ ଅତିରିକ୍ତ ଦାୟିତ୍ୱ ମିଳିଛି। ଶର୍ମା ୩୩ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଆସିଛନ୍ତି। ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ କଟକ-ଭୁବନେଶ୍ୱର ପୋଲିସ କମିଶନର ଦାୟିତ୍ୱ ସମ୍ଭାଳିଛନ୍ତି।

ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ ନୂଆ ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କର ଫୋକସ୍‌ ରହିଛି। ଏବେ ରାଜ୍ୟ ପୋଲିସର ତଦନ୍ତ ତରିକା ବଦଳିବ। ଆଉ ପୁରୁଣା ପଦ୍ଧତି ନୁହେଁ, ଅନୁସନ୍ଧାନରେ ନୂଆ ଟେକ୍‌ନୋଲୋଜିକୁ ଗୁରୁତ୍ୱ ଦିଆଯିବ। ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟ କୁମାର ଶର୍ମା ଏହା କହିଛନ୍ତି।