Categories: ଜାତୀୟ

ପୋଲିସ ଚାକିରିକୁ ବାଏବାଏ କହିଲେ ‘ସିଂଘମ୍‌’: ଏବେ କରିବେ ଜନସେବା

ବେଙ୍ଗାଲୁରୁ, ୨୯।୫: କର୍ନାଟକର ‘ସିଂଘମ୍‌’ ନାମରେ ପ୍ରସିଦ୍ଧ ପୋଲିସ ଡିସିପି କେ.ଅନାମଲାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କୁମାରସ୍ବାମୀ ତାଙ୍କୁ ନିଜ ନିଷ୍ପତ୍ତି ପୁନଃର୍ବିଚାର ପାଇଁ କହିବା ସହ ରାଜ୍ୟ ମୋ ଭଳି ଜଣେ ପୋଲିସ ଅଫିସରର ଆବଶ୍ୟକତା ରହିଛି ବୋଲି କହିଥିଲେ। କିନ୍ତୁ ମୁଁ ମୋ ନିଷ୍ପତ୍ତିରୁ ଆଉ ଓହରିବି ନାହିଁ ବୋଲି କହିବାରୁ ସେ ମୋ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ବୋଲି ଅନାମଲାଲ ଗଣମାଧ୍ୟମକୁ କହିଛନ୍ତି। ଏବେ ରାଜନୀତିକୁ ଆସିବାକୁ ଚାହୁଁନାହାନ୍ତି ବୋଲି ସେ ସଫା ସଫା ମନା କରିଦେଇଛନ୍ତି। ସୂଚନାଯୋଗ୍ୟ, ଅନାମଲାଇ ଜଣେ ଦୃଢ ତଥା ସଚ୍ଚା ପୋଲିସ ଅଧିକାରୀ ଥିଲେ। ସେ କୌଣସି ପ୍ରକାର ଭ୍ରଷ୍ଟାଚାରକୁ ପ୍ରାଧାନ୍ୟ ଦେଉ ନ ଥିଲେ। ଫଳରେ ତାଙ୍କୁ ବାରମ୍ବାର ବଦଳି ହେବାକୁ ପଡୁଥିଲା। ତାଙ୍କ ବଦଳିକୁ ନେଇ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ ମଧ୍ୟ କରୁଥିଲେ। ତାଙ୍କୁ କର୍ନାଟକରେ ‘ସିଂଘମ୍‌’ ଆଖ୍ୟା ଦିଆଯାଇଥିଲା।

Share