ପୋଲିସ ଗାଡ଼ିଧରି ଅଭିଯୁକ୍ତ ଫେରାର: ଏଏସ୍‌ଆଇ, ହାବିଲଦାର ନିଲମ୍ବିତ

ବାରିପଦା ଅଫିସ/ଉଦଳା,୧୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ହେପାଜତରୁ ଗୁରୁବାର ସନ୍ଧାରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ ଏଏସ୍‌ଆଇ ଏସ.ଏନ୍‌. ବାରିକ ଓ ହାବିଲଦାର ଡି. କେ. ଦାଶଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଶୁଳିଆପଦା ଥାନା ଅଧୀନ କୁଜିଡିହି ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଖବର ପାଇ ଏଏସ୍‌ଆଇ ବାରିକ ଓ ହାବିଲଦାର ଦାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ଗୁରୁତର ହୋଇଥିବା ଜନୈକା ମହିଳାଙ୍କୁ ସେମାନେ ବାରିପଦା ମେଡିକାଲକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ପଶ୍ଚିମବଙ୍ଗ ମନୋହରପୁର ଅଞ୍ଚଳର ସଞ୍ଜିବ ଜେନାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରୁ ଜେନା ପୋଲିସ ଗାଡ଼ିଧରି ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ କାର୍ଯ୍ୟରେ ଅବହେଳା ଦର୍ଶାଇ ଦୁଇ ଜଣଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।