Categories: ଜାତୀୟ

ପୋଲିସ କାର୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର: ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୪ ଗିରଫ

ନୂଆଦିଲ୍ଲୀ, ୫ା୧୨:ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ଏହାକୁ ନେଇ ଦେଶବ୍ୟାପୀ ଅଭିଯୁକ୍ତଙ୍କ ବିରୋଧରେ ଜନଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଏବେ ଉତ୍ତରପ୍ରଦେଶର ମିର୍ଜାପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇ କାର୍‌ ଭିତରେ ଗଣବଳାତ୍କାର କରାଯାଇଥିବା ଘଟଣା ଲୋକଲୋଚନକୁ ଆସିଛି।
ଘଟଣାରୁ ଜଣାଯାଇଛି ଯେ, ଛାତ୍ରୀଙ୍କୁ ଗତ ସୋମବାର ଗଣବଳାତ୍କାର କରାଯାଇଥିବାବେଳେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସିଆର୍‌ପିଏଫ୍‌ ଯବାନ ଥିବାବେଳେ ଆଉ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ବ୍ରିଜ୍‌ଲାଲ ମୌର୍ଯ୍ୟଙ୍କ ପୁଅ ଜୟପ୍ରକାଶ ବୋଲି ଜଣାପଡ଼ିଛି। ପୋଲିସ ଲୋଗୋ ଥିବା ବାପାଙ୍କ କାର୍‌ରେ ଜୟପ୍ରକାଶ ଓ ତାଙ୍କ ୩ ବନ୍ଧୁ ଛାତ୍ରୀଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ହଲିଆରେ ଜୟପ୍ରକାଶଙ୍କ ଭଉଣୀ ରହୁଥିବାବେଳେ ସେ ସେଠାକୁ ଯିବାଆସିବା କରନ୍ତି। ଛାତ୍ରୀଙ୍କ ସହ ତାଙ୍କର ସେଠାରେ ଦେଖାସାକ୍ଷାତ ହୋଇଥାଏ। ସୋମବାର ଜୟପ୍ରକାଶ ସେଠାକୁ ଯାଇ ଛାତ୍ରୀଙ୍କୁ ଫୋନ୍‌କରି ଡାକିବା ସହ ୩ ବନ୍ଧୁଙ୍କ ସହ କାର୍‌ରେ ବଳପୂର୍ବକ ଉଠାଇନେଇ ଗଣବଳାତ୍କାର କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ବଳାତ୍କାର ସହ ପୋକ୍‌ସୋ ଆଇନ ଲଗାଯାଇଥିବା ହଲିଆ ଥାନା ଇନ୍ସପେକ୍ଟର ଦେବିବର ଶୁକ୍ଳା କହିଛନ୍ତି।
ପୀଡ଼ିତାଙ୍କ ବାପା ଏନେଇ ଥାନାରେ ୪ ଅଭିଯୁକ୍ତ ଜୟପ୍ରକାଶ, ଲଭ୍‌ କୁମାର ପାଲ୍‌, ଗଣେଶ ପ୍ରସାଦ ଓ ସିଆର୍‌ପିଏଫ୍‌ କନ୍‌ଷ୍ଟେବଳ ମହେନ୍ଦ୍ର କୁମାର ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୀଡ଼ିତା ଓ ୪ ଅଭିଯୁକ୍ତଙ୍କୁ ଜେରା କରାଯାଇ ପରେ ଡାକ୍ତରୀମାଇନା ଲାଗି ପଠାଯାଇଥିଲା। ଏ ସମ୍ପର୍କରେ ତଦନ୍ତ ଜାରି ରହିଥିବା ମିର୍ଜାପୁର ଏସ୍‌ପି ଧର୍ମବୀର ପ୍ରକାଶ କରିଛନ୍ତି।

Share