ପୋଲିସ ଏନ୍‌କାଉଣ୍ଟର: ସୁପାରିକିଲର ମେହେତାବ ଗୁରୁତର, କଟକ ବଡ଼ ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା ଅଫିସ,୬।୮: କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଗଣ୍ଡାଖିଆ ରାସ୍ତାର ଏରାଠାରେ ସୋମବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ସେକ୍‌ ମେହେତାବ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କଠାରୁ ପୋଲିସ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ୯ ହଜାର ଟଙ୍କା, ୨ ମୋବାଇଲ ଫୋନ୍‌ ଓ ଗୋଟିଏ ବାଇକ ଜବତ କରିଛି।
ଦୀର୍ଘଦିନ ଧରି ମେହେତାବ ଫେରାର୍‌ ଥିବା ବେଳେ ସୋମବାର କେନ୍ଦ୍ରାପଡ଼ାକୁ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍‌ ମିଳିତ ଚଢ଼ାଉ କରିଥିଲେ। ମେହେତାବ ଓ ତାଙ୍କର ଜଣେ ସହଯୋଗୀ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥବା ବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ମେହେତାବଙ୍କ ୨ ଆଣ୍ଠୁରେ ଗୁଳି ବାଜିବା ପରେ ତାଙ୍କୁ ପୋଲିସ କାବୁ କରିଥିଲା। ତେବେ ତାଙ୍କ ସହଯୋଗୀ ଫେରାର୍‌ ହୋଇଯାଇଥିଲେ। ସୁପାରି ନେଇ ହତ୍ୟା, ଡକାୟତି, ରାହାଜାନି, ଲୁଟ୍‌, ଦାଦାବଟି ଆଦାୟ ଆଦି ଘଟଣାରେ ମେହେତାବଙ୍କ ସମ୍ପୃକ୍ତି ଥିବା ବେଳେ କେନ୍ଦ୍ରାପଡ଼ାରେ ଘଟିଥିବା ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାର ସେ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ବାଡ୍‌ ଉପରକୁ ଗୁଳିମାଡ ଓ ବାଲେଶ୍ୱର ପୋଲିସ ଉପରକୁ ବୋମାମାଡ଼ କରିଥିବା ନେଇ ମେହେତାବଙ୍କ ନାମରେ ଏକାଧିକ ମାମଲା ରହିଛି। ତାଙ୍କ ନାମରେ କେନ୍ଦ୍ରାପଡ଼ା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି।