Categories: ଫୁରସତ

ପୋଲିସ୍‌ ଷ୍ଟେଶନ୍‌ ଭିତରେ ଚାଲିଛି ପାଠଶାଳା

ଡେରାଡୁନ୍‌ର ପ୍ରେମନଗର୍‌ ପୋଲିସ୍‌ ଷ୍ଟେସନ୍‌ ଦେଶରେ ଥିବା ଅନ୍ୟ ସମସ୍ତ ପୋଲିସ୍‌ ଷ୍ଟେସନ୍‌ଠୁ ସ୍ବତନ୍ତ୍ର। ଏହାକୁ ସ୍ବତନ୍ତ୍ର କରିଛି କିଛି ମୁହୂର୍ତ୍ତରେ ପରିଣତ ହେଉଥିବା ପାଠଶାଳା। ପ୍ରେମନଗର ପାଖରେ ଥିବା ଏକ ବସ୍ତିରେ ଅନେକ ଗରିବଶ୍ରେଣୀର ପିଲା ଅଛନ୍ତି, ଯେଉଁମାନେ ଶିକ୍ଷାଠୁ ବହୁ ପଛରେ ରହିଛନ୍ତି। ସେମାନଙ୍କୁ ଉତ୍ତମ ଶିକ୍ଷା ଦେବାକୁ ପ୍ରଥମେ ଏକ ଏନ୍‌ଜିଓ ସଂସ୍ଥା ପୋଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ଥିବା ଫୁଟ୍‌ପାଥ୍‌ରେ ପଢ଼ାଇବାର ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ପୋଲିସ୍‌ ଷ୍ଟେସନ୍‌ ଅଧିକାରୀ ମୁକେଶ ତ୍ୟାଗୀଙ୍କ ଚିନ୍ତାର କାରଣ ପାଲଟିଲା। କାରଣ ଏଥିପାଇଁ ଟ୍ରାଫିକ୍‌ ସମସ୍ୟା ସାଙ୍ଗକୁ ପିଲାଙ୍କ ଜୀବନ ବିପଦରେ ପଡୁଥିଲା। ତେଣୁ ସେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୋଲିସ୍‌ ଷ୍ଟେସନ୍‌କୁ ପ୍ରତିଦିନ ୬ ଘଣ୍ଟା ପାଇଁ ସ୍କୁଲ୍‌ରେ ପରିଣତ କଲେ। ଏଠାରେ ପିଲାଙ୍କୁ ହିନ୍ଦୀ, ଇଂରାଜୀ, ଗଣିତ ସାଙ୍ଗକୁ ଇତିହାସ ଏବଂ ବିଜ୍ଞାନ ଭଳି ବିଷୟ ପଢ଼ାଯାଉଛି। ପୋଲିସ୍‌ଙ୍କ ସମର୍ଥନରେ ଏବଂ ସୁରକ୍ଷା ପ୍ରଦାନ ଯୋଗୁ ଏବେ ଅନେକ ପିତାମାତା ସେମାନଙ୍କ ପିଲାଙ୍କୁ ଏହି ସ୍କୁଲ୍‌କୁ ପଢ଼ାଇବାକୁ ଛାଡୁଛନ୍ତି। ସବୁଠୁ ବଡ଼ କଥା ପୋଲିସ୍‌ ଷ୍ଟେସନ୍‌କୁ ଆସୁଥିବା ଅନେକ ଅପରିଚିତ ସହୃଦୟ ବ୍ୟକ୍ତି ଏହି ଅଭିଯାନରେ ନିଜକୁ ସାମିଲ କରି ସ୍ବଇଚ୍ଛାରେ ସହାୟତା କରୁଛନ୍ତି। କେହି ନିଜ ଭ୍ୟାନ୍‌କୁ ପିଲାଙ୍କ ପାଇଁ ମାଗଣାରେ ଲଗାଉଥିବା ବେଳେ ଆଉ କେହି ବ୍ୟାଗ୍‌, ପଢ଼ା ସାମଗ୍ରୀ ଏବଂ ଟିଫିନ୍‌ ବ୍ୟବସ୍ଥା କରୁଛନ୍ତି। ଡେରାଡୁନ୍‌ ପୋଲିସ୍‌କର୍ମୀଙ୍କ ଏହି ମହତ୍‌ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି।

Share