ପୋଲିସକୁ ଓଏଚ୍‌ଆର୍‌ସିଙ୍କ କଡ଼ା ସମାଲୋଚନା

କଟକ ଅଫିସ୍‌,୨୧।୫: କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଜଣେ ଯୁବକଙ୍କୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ମାଡ଼ ମାରିବାର ଭିଡିଓ ଭାଇରାଲ ଖବର ପ୍ରକାଶ ପରେ ସାମାଜିକ କର୍ମୀ ମନୋଜ ଜେନାଙ୍କ ତରଫରୁ ଓଡ଼ିଶା ମାନବାଧିକାର କମିଶନ୍‌ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଓଏଚ୍‌ଆର୍‌ସି ମଙ୍ଗଳବାର ଗ୍ରହଣକରି ପୀଡ଼ିତଙ୍କୁ କ୍ଷତିପୂରଣ ବାବଦରେ ଆଇଆଇସିଙ୍କ ଦରମାରୁ ୧୦ ହଜାର ଟଙ୍କା ଦେବାକୁ କୁହାଯାଇଛି। ତେବେ ଏହି ଘଟଣାରେ ଓଏଚ୍‌ଆର୍‌ସି ପୋଲିସ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଏବଂ ମାନସିକତାକୁ କଡ଼ା ଭାଷାରେ ସମାଲୋଚନା କରିଥିବା ଜାଣିବାକୁ ମିଳିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଓଏଚ୍‌ଆର୍‌ସିର ଅଧ୍ୟକ୍ଷ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ଏବଂ ସଦସ୍ୟ ଅସୀମ ଅମିତାଭ ଦାସଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ଅଭିଯୋଗକୁ ବିଭାଗୀୟ ଅଧିକାରୀ କିମ୍ବା ସମ୍ପୃକ୍ତ ଆଇଆଇସି ଖଣ୍ଡନ କରି ନାହାନ୍ତି। ଏଣୁ ଅଭିଯୋଗର ସତ୍ୟତା ରହିଥିବା ଜଣାପଡ଼ୁଛି। ଥାନାରେ ପୋଲିସ ଅତ୍ୟାଚାର ପ୍ରଥମ ଘଟଣା ନୁହେଁ। ଏଭଳି ଅନେକ ଅଭିଯୋଗ ଓଏଚ୍‌ଆର୍‌ସିଙ୍କ ପାଖରେ ପହଞ୍ଚତ୍ଛି। ଅନେକ ଘଟଣାରେ ସତ୍ୟତା ରହୁଥିବା ଜାଣିବାକୁ ମିଳୁଛି। ଆମେ ଏମିତି ଏକ ସମୟ ଦେଇ ଗତି କରୁଛେ, ଯେଉଁ ସମୟରେ ସମସ୍ତେ ଶାରୀରିକ, ମାନସିକ ଏବଂ ଆର୍ଥତ୍କ ଚାପଗ୍ରସ୍ତ ଅବସ୍ଥାରେ ରହିଛନ୍ତି। ଅନେକ ବ୍ୟକ୍ତି ଦିନକୁ ଦୁଇଓଳା ଖାଦ୍ୟ ମଧ୍ୟ ପାଉନାହାନ୍ତି। ଅପରପକ୍ଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଜ ସ୍ବାସ୍ଥ୍ୟ ଏବଂ ପରିବାରକୁ ପଛରେ ପକାଇ ଅନେକ ପୋଲିସ ଏବଂ ସ୍ବାସ୍ଥ୍ୟକର୍ମୀ ଦିନ ରାତି କାମ କରୁଛନ୍ତି। ଏଭଳି କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ। କିନ୍ତୁ ସାଧାରଣ ନିରୀହ ଜନତାଙ୍କ ଉପରେ ଅତ୍ୟାଚାର ଏବଂ ନିଜର ଆଧିପତ୍ୟ ଦେଖାଇବା ପାଇଁ ଲକ୍‌ଡାଉନ୍‌ ଓ କର୍ଫ୍ୟୁକୁ ଅନେକ ଅଧିକାରୀ ସୁଯୋଗ ଭାବେ ଗ୍ରହଣ କରିଛନ୍ତି। ଏଭଳି ଅଧିକାରୀମାନେ ନିଜ ବିଭାଗକୁ ନିନ୍ଦିତ କରିବା ସହ ପରିସ୍ଥିତିକୁ ଅଧିକ ଖରାପ କରୁଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ମାଡ଼ ମାରିବା ପାଇଁ ଅଧିକାରୀଙ୍କୁ କିଏ କ୍ଷମତା ଦେଲା। ଏହି ଘଟଣା ଥାନା ଭିତରେ ଘଟିଛି ଏବଂ ସେତେବେଳେ ନିକଟରେ ୩/୪ଜଣ ଉପସ୍ଥିତ ଥିଲେ। ତେଣୁ ଏହା ଆମତ୍ସୁରକ୍ଷା ପାଇଁ ଆଦୌ କରାଯାଇନାହିଁ। ଯଦି ଏଭଳି ଅଧିକାରୀଙ୍କୁ ଦଣ୍ଡ ନ ମିଳେ, ତେବେ ସେମାନେ ଭବିଷ୍ୟତରେ ପୋଲିସ ବିଭାଗ ଉପରେ ବୋଝ ହୋଇଯିବେ। ଯଦି ଏବେଠାରୁ ଏଭଳି ମାନସିକତାକୁ ରୋକା ନ ଯିବ, ତେବେ ଲୋକମାନେ ପୋଲିସକୁ ରକ୍ଷକ ବଦଳରେ ଭକ୍ଷକ ଭାବେ ବିବେଚନା ଯେ ନ କରିବେ ତାହା କହିବା କଷ୍ଟକର ହୋଇପଡ଼ିବ। ଏଣୁ ଆଶା କରାଯାଉଛି ୭୦ ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟନ୍ତ୍ରଣ କରୁଥିବା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏହାକୁ ଗୁରୁତର ସହ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।