ପୋଲାଭରମ୍‌: ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ ଗୃହ କମିଟି

ଭୁବନେଶ୍ୱର,୬।୮(ବ୍ୟୁରୋ): ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏ ନେଇ ଓଡ଼ିଶା ବିଧାନସଭା ପକ୍ଷରୁ ଏକ ୧୬ ଜଣିଆ ଗୃହ କମିଟି ଗଠନ କରାଯାଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି କମିଟିରେ ଅଧ୍ୟକ୍ଷତା କରିବେ। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରଘୁନନ୍ଦନ ଦାସ, ଜଗନ୍ନାଥ ସାରକା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ସଦସ୍ୟ ରହିଛନ୍ତି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଏହି କମିଟିରେ ଅଛନ୍ତି। ପୋଲାଭରମ ପ୍ରକଳ୍ପ ଦ୍ୱାରା ଆନ୍ଧ୍ରପ୍ରଦେଶ ବିଭିନ୍ନ ନିୟମକୁ ଅଣଦେଖା କରି ଓଡ଼ିଶାର କ୍ଷତି କରୁଥିବା ରାଜ୍ୟ ସରକାର ଅଭିଯୋଗ କରିଆସୁଛନ୍ତି। ଏପରିକି ସୌଜନ୍ୟତା ଦୃଷ୍ଟିରୁ ପ୍ରଭାବିତ ଅଞ୍ଚଳରେ ଗ୍ରାମସଭା ହୋଇ ନ ଥିବା କମିଟିର ଏକାଧିକ ବିଜେଡି ସଭ୍ୟ କହିଛନ୍ତି।