ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର

ରାଇକିଆ,୧୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ  ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି। ଫଳରେ ରାଇକିଆ ଥାନାଧିକାରୀ ଅଲେଖ ଗରଡ଼ିଆ ଏବଂ ହୋମଗାର୍ଡ ତଥା ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।


ସୂଚନାଯୋଗ୍ୟ, ଏକ ଗଞ୍ଜେଇ ଭର୍ତ୍ତି ହୋଇଥିବା କାର୍‌ ରାଇକିଆ ଅତିକ୍ରମ କରୁଥିବା ସୂଚନା ପାଇଥିଲା ପୋଲିସ। ଥାନାଧିକାରୀ ଏହାର ପିଛା କରିଥିଲେ। ତେବେ ରାଇକିଆଠାରୁ ୫ କିମି ଦୂର ମଣ୍ଡାକିଆ ପୋଲ ନିକଟରେ ଉକ୍ତ କାର୍‌କୁ ଅତିକ୍ରମ ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ଗାଡ଼ିଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ଅନ୍ୟପକ୍ଷରେ ଗଞ୍ଜେଇ ଭର୍ତ୍ତି କାର୍‌ଟିକୁ ଦୁର୍ବୃତ୍ତମାନେ ରାସ୍ତାରେ ଛାଡ଼ି ଫେରାର୍‌ ହୋଇଯାଇଛନ୍ତି।