ପୋତି ହୋଇଛି ଡ୍ରେନ, ରାସ୍ତା ଉପରେ ନର୍ଦ୍ଦମା ପାଣି

ଖଣ୍ଡପଡ଼ା,୧୬ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସାହି ବସ୍ତି ଓ ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। ଫଳରେ ସମ୍ପ୍ରତି ବର୍ଷା ସମୟରେ ଡ୍ରେନରେ ପାଣି ଯାଇ ନ ପାରି ରାସ୍ତା ଉପରେ ପ୍ରବାହିତ ହେଉଛି। ଅଧିକାଂଶ ସ୍ଥାନରେ ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ପାଣି ଜମିରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏଥିଯୋଗୁ ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ଖଣ୍ଡପଡା ବ୍ଲକ ମର୍ଦ୍ଦରାଜପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ତଥା କଣ୍ଟିଲୋ-ଖଣ୍ଡପଡା ପୂର୍ତ୍ତ ବିଭାଗ ରାସ୍ତାର ୧୬ ନମ୍ବର ୱାର୍ଡ ପାର୍ଶ୍ୱ ଓ ହାଟମୁଣ୍ଡପାଟଣା ଜନକଲ୍ୟାଣ କ୍ଲବ ପଛ ପାଖରେ ଥିବା ଡ୍ରେନଗୁଡିକ ଠିକ୍‌ ସମୟରେ ସଫା ନ ହେବା ଫଳରେ ପୋତି ହୋଇପଡିଛି। ଫଳରେ ଉଦ୍‌ବୃତ୍ତ ନର୍ଦ୍ଦମା ପାଣି ରାସ୍ତା ଉପର ଦେଇ ପ୍ରବାହିତ ହେଉଛି। ଡ୍ରେନରେ ପାଣି ନିଷ୍କାସନ ନ ହେବା ଫଳରେ ଏହି ଡ୍ରେନର ସମ୍ପୂର୍ଣ୍ଣ ଅଂଶ ଭାରି ବର୍ଜ୍ୟବସ୍ତୁ ଓ ଅଳିଆ ଆବର୍ଜନାରେ ପୋତି ହୋଇଯାଇଛି। ଆବର୍ଜନା ପଚିଶଢି ଦୂଷିତ ପରିବେଶ ସୃଷ୍ଟି କରୁଛି। ଏଥିରେ ମଶାବଂଶ ବୃଦ୍ଧି ପାଉଥିବାବେଳେ ଏମାନଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ବିଶେଷ କରି ମଶା କାମୁଡାରେ ଡେଙ୍ଗୁ ହେବା ସମ୍ଭାବନା ଥିବାରୁ ସେମାନେ ଭୟଭୀତ ହୋଇପଡୁଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ପକ୍ଷରୁ ଆବର୍ଜନା ସଫେଇ ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ ଜରୁରୀ ହୋଇପଡିଛି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରିମଳ ବ୍ୟବସ୍ଥା ସୁଧାରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।