ପୋତା ଯାଇଥିବା ମୃତଦେହ ଉଦ୍ଧାର କଲା ପୋଲିସ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅତା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତରବରିଆ ଭାବେ ମୃତଦେହ ପୋତି ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନାଯୋଗ୍ୟ, ଘସିପୁରା ବ୍ଲକ ଅତା ଗ୍ରାମର ବାବାଜି ନାଥଙ୍କ ପୁଅ ଅଭିମନ୍ୟୁ ଓରଫ୍‌ ମାନୁ (୪୩)ଙ୍କ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ମୃତଦେହ ଗାଁ ଶ୍ମଶାନରେ ପୋତି ଦେଇଥିଲେ। ଏହି ମୃତ୍ୟୁ ସନ୍ଦେହଘେରରେ ଥିବା ପୋଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍‌ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସୂଚନା ପାଇ ରାମଚନ୍ଦ୍ରପୁର ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ବାଇଁ ସଦଳବଳ ଘଟଣାସ୍ଥଳରେ ଶନିବାର ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋତା ଯାଇଥିବା ମୃତଦେହ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ପରିବାର ଲୋକେ ମାନୁଙ୍କ ମୃତ୍ୟୁ ଅତ୍ୟଧିକ ମଦ୍ୟପାନରୁ ହୋଇଥିବା କହୁଥିବାବେଳେ ପୋଲିସ ଏହାକୁ ସହଜରେ ଗ୍ରହଣ କରିପାରିନାହିଁ। ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁ କହିଛନ୍ତି, ପୋତା ଯାଇଥିବା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିବ।