ପୋଖରୀ ଖୋଳା ବନ୍ଦ କଲା ପ୍ରଶାସନ

ଓଡ଼ଗାଁ,୨୨ା୪(ସ୍ବ.ପ୍ର.): ଲକ୍‌ଡାଉନ ସମୟରେ ଓଡ଼ଗାଁ ବ୍ଲକ କୋରପିଠା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପୋଖରୀ ଖୋଳା କାରନାମା ପଦାରେ ପଡିଛି। ଲୋକେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ଏହାକୁ ବନ୍ଦ କରାଇଛି। ସୂଚନା ଅନୁସାରେ ରାଜ୍ୟ ସରକାର ଲକ୍‌ଡାଉନକୁ କେତେକାଂଶରେ କୋହଳ କରିଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ଚାଲୁ କରିବାକୁ ଅନୁମତି ଦେଇଥିଲେ। ଏହାର ସୁଯୋଗ ନେଇ ଉକ୍ତ ପଞ୍ଚାୟତ କର୍ତ୍ତୃପକ୍ଷ କୁଟୁଣି ଗ୍ରାମରେ ଥିବା ପୋଖରୀକୁ ଜେସିବି ମେଶିନ ସାହାଯ୍ୟରେ ଦୁଇଦିନ ଧରି ଖୋଳୁଥିବା ଦେଖିବାକୁ ମିଳିଥିଲା। ଏ ନେଇ କେତେକ ସଚେତନ ନାଗରିକ ମୋ ସରକାର ହେଲ୍‌ପ ଲାଇନ ନମ୍ବରରେ ସୂଚନା ଦେଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ପରେ ସେମାନେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧଙ୍କ ସହାୟତା ଲୋଡିଥିଲେ। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପୋଖରୀ ଖୋଳା ବନ୍ଦ କରିଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଲକ୍‌ଡାଉନ ସମୟରେ ନିୟମ ଉଲ୍ଲଂଘନ କରି ପଞ୍ଚାୟତର ଅନ୍ୟ ଏକ ଅନୁଦାନକୁ ବିନିଯୋଗ କରି ପୋଖରୀ ଖୋଳିବାକୁ ଉଦ୍ୟମ କରୁଥିବା ସହକାରୀ ଯନ୍ତ୍ରୀ ସୂଚନା ଦେଇଥିଲେ।