ପୋଖରୀରେ କୁମ୍ଭୀର: ଭୟରେ ସ୍ନାନ ପାଇଁ ଯାଉନାହାନ୍ତି ଲୋକେ

ନୟାଗଡ ଅଫିସ, ୩ା୨: ନୟାଗଡ଼ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ଗୋପୀନାଥପୁର (ଖଳିସାହି) ଗ୍ରାମର ପାଖାପାଖି ଥିବା ୪ ପୋଖରୀରେ ୩ କୁମ୍ଭୀର ଆତଙ୍କ ଖେଳାଇଛନ୍ତି। ଭୟରେ ସ୍ଥାନୀୟ ଲୋକେ ସ୍ନାନ ପାଇଁ ପୋଖରୀକୁ ଯାଉନାହାନ୍ତି। ପ୍ରାପ୍ତ ସୂଚନା ଅନୁସାରେ ପ୍ରାୟ ୨ବର୍ଷ ତଳେ ମୋ ପୋଖରୀ ଯୋଜନାରେ ଗୋପୀନାଥପୁରର ଶରତ ସାମଲ, ତ୍ରିଲୋଚନ ସାମଲ, ଅନାଦି ସାମଲ ଓ ମନମୋହନ ସାମଲ ୪ଟି ପୋଖରୀ ଖୋଳିଥିଲେ। ପରେ ଏଠାରେ ମାଛଚାଷ କରି ଆମତ୍ନିର୍ଭରଶୀଳ ହେଉଥିଲେ। ତେବେ ମହାନଦୀରୁ ୪ କୁମ୍ଭୀର ଆସି ଉକ୍ତ ପୋଖରୀରେ ରହିବା ପରେ ମାଛ ଖାଇ ଯାଉଛନ୍ତି। ଫଳରେ ଚାଷୀମାନେ ମାଛ ଚାଷ ଛାଡି ଦେଇ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଚାଷୀ ତ୍ରିଲୋଚନ ସାମଲ କୁହନ୍ତି, କୁମ୍ଭୀର ସ୍ଥାନାନ୍ତର ପାଇଁ ବାରମ୍ବାର ଛାମୁଣ୍ଡିଆ ବନ୍ୟପ୍ରାଣୀ କାର୍ଯ୍ୟାଳୟକୁ ଅନୁରୋଧ କରାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଚାଷୀ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଡେପୁଟି ରେଞ୍ଜ ଅଫିସର ମାଧବ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଡିଏଫଓଙ୍କ ସହ ଆଲୋଚନା କରାଯାଇଛି। ନନ୍ଦନକାନନରୁ କର୍ମଚାରୀ ଆସିଲେ କୁମ୍ଭୀରଗୁଡିକୁ ସ୍ଥାନାନ୍ତର କରାଯିବ।