ପୋଖରୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପାଟଣା,୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସରସକୋଲା ପଞ୍ଚାୟତ ଝିଞ୍ଜିରିନାଳି ଗ୍ରାମର ଏକ ପୋଖରୀରୁ ଶୁକ୍ରବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବଡ଼ପାଟଣା ପଞ୍ଚାୟତ ସଅଁରାପଶି ଗ୍ରାମର ମଲ୍ଲି ମୁଣ୍ଡା।
ସୂଚନା ଅନୁଯାୟୀ, ମଲ୍ଲି ଜଣେ ବିଧବା ମହିଳା। ଗୁରୁବାର ସେ ଝିଞ୍ଜିରିନାଳି ଗ୍ରାମକୁ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଇଥିଲେ। ଶୁକ୍ରବାର ସକାଳୁ ଗ୍ରାମର କେତେଜଣ ପିଲା ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପାଟଣା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ମଲ୍ଲିଙ୍କ ମୁଣ୍ଡ, ଆଖି ଓ ଦୁଇ ହାତରେ ଗଭୀର କ୍ଷତ ଲାଗିଥିବା ଦେଖିବାକୁ ମିଳିଛି। ତେବେ ମାଛ ଏପରି କରିଥିବା କେହି କେହି କହୁଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।