ପୋଖରୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିବେଶ ପ୍ରଧାନଙ୍କ ପୁଅ ସୁମନ ଓରଫ ଚିଣ୍ଟୁ (୧୪)। ଚିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ଆର୍‌.ଉଦୟଗିରି ଥାନାରେ ନଂ.୮/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ବୁଧବାର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି।
ଚିଣ୍ଟୁ ମଙ୍ଗଳବାର ମଧ୍ୟାହ୍ନରେ ଖାଇସାରି ୫ଜଣ ସାଙ୍ଗଙ୍କ ସହ ପୋଖରୀକୁ ଗାଧୋଇ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ପରିବାର ଲୋକେ ସାଙ୍ଗମାନଙ୍କୁ ପଚାରିବାରୁ ସେ ବୁଡି ଯାଇଥିବା କହିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲା। ମୁହଁରେ କ୍ଷତଚିହ୍ନ ଓ ଅଣ୍ଡକୋଷ ଫାଟି ଯାଇଥିବାରୁ ହତ୍ୟା କରାଯାଇଥିବା ମା’ ସୁନୀତା ସନ୍ଦେହ କରିଥିଲେ। ମାମୁ ତ୍ରିପ୍ତି ଲିମା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନାଧିକାରୀ ମମତା ନାୟକ କହିଛନ୍ତି।