ପୋଖରୀରୁ ଦଳ ସଫା କଲେ ଯୁବଗୋଷ୍ଠୀ

ଅମରପାଲି, ୧୬।୬ (ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ପଞ୍ଚାୟତର ରଣାବନ୍ଧକୁ ଯୁବଗୋଷ୍ଠୀ ସଫା କରିଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଏହି ପୋଖରୀ ଉପରେ ହିଲୁଙ୍ଗ, କର୍ଣ୍ଣପାଲି, ବାଘମାରି ସମେତ ବୀରମହାରାଜପୁରର ଲୋକେ ନିର୍ଭର କରିଥାନ୍ତି। ବର୍ଷତମାମ ଏହି ପୋଖରୀରେ ପାଣିଥାଏ। ଫଳରେ ପ୍ରତିଦିନ ଶତାଧିକ ଲୋକ ସ୍ନାନ କରିଥାନ୍ତି। ହେଲେ ବହୁ ଦିନ ହେଲା ଉକ୍ତ ପୋଖରୀକୁ ସଫା କରାଯାଇ ନ ଥିଲା ା ଫଳରେ ପୋଖରୀଟି ଦଳ ଭର୍ତ୍ତି ହୋଇରହିଥିଲା। ଯେଉଁମାନେ ଏହି ପୋଖରୀରେ ଗାଧୋଉଥିଲେ ସେମାନେ କାଛୁକୁଣ୍ଡିଆ ଭଳି ଚର୍ମରୋଗରେ ଆକ୍ରାନ୍ତ ହେଉଥିଲେ। ଏନେଇ ପ୍ରଶାସନକୁ ପୋଖରୀ ସଫା ଲାଗି ଅନୁରୋଧ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଶେଷରେ ଗ୍ରାମର ଯୁବକମାନେ ନିଜେ ପୋଖରୀ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମର ଗୌନ୍ତିଆ ସତ୍ୟନାରାୟଣ ସିଂହ ଓ ପୃଥ୍ବୀରାଜ ସିଂହଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ସୋମବାର ଦଳ ସଫା କରିଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ଅଶୋକ ମହାକୁରଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଉକ୍ତ ପୋଖରୀର ରକ୍ଷଣାବେକ୍ଷଣ ସହିତ ପୁନରୁଦ୍ଧାର ହେବ ବୋଲି କହିଛନ୍ତି।